ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜୀବ ଶୁକ୍ଲା ହୋଇପାରନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଆଗାମୀ ଭାଇସ ପ୍ରେସିଡେଣ୍ଟ । ରିପୋର୍ଟ ଅନୁସାରେ ଡିସେମ୍ବର ୨୪ରେ ଅହମଦାବାଦରେ ବିସିସିଆଇ ର ଏଜିଏମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜୀବ ଶୁକ୍ଲାଙ୍କୁ ଆଗାମୀ ଭାଇସ ପ୍ରେସିଡେଣ୍ଟ ରୂପେ ଚୟନ କରିବା ପାଇଁ ବିସିସିଆଇ ପ୍ରସ୍ତୁତ ଅଛି ବୋଲି କୁହାଯାଉଛି । ସେହିପରି ବୃଜେଶ ପଟେଲ ଆଇପିଏଲର ଚେୟାରମ୍ୟାନ ପଦରେ ରହିପାରନ୍ତି ବୋଲି କୁହାଯାଉଛି ।
କଂଗ୍ରେସର ଜଣେ ବରିଷ୍ଠ ନେତା ହେଉଛନ୍ତି ରାଜୀବ ଶୁକ୍ଲା । ଏହାସହିତ ସେ ପୂର୍ବରୁ ଅନେକ ଥର କ୍ରିକେଟ ଦୁନିଆରେ ପ୍ରମୁଖ ପ୍ରଶାସନିକ ପଦରେ ରହି ସାରିଛନ୍ତି । ସେହିପରି ସେ ଆଇପିଏଲ ର ଚେୟାର ପଦରେ ୨୦୧୮ ରେ ସେବା ପ୍ରଦାନ କରିସାରିଛନ୍ତି । ଏହାସହିତ ୨୦୧୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ କ୍ରିକେଟ ଏସୋସିଏସନ ର ଅଧ୍ୟକ୍ଷ ବି ସେ ଥିଲେ ।
ରିପୋର୍ଟ ମୁତାବକ, ଏଥରକୁ ବିସିସିଆଇ ର ଔପଚାରିକ ନିର୍ବାଚନ ହେବ ନାହିଁ । କାରଣ ବିସିସିଆଇରେ ରାଜୀବଙ୍କ ନାମରେ ସାଧାରଣ ସହମତି ହୋଇସାରିଛି । ସେହିପରି ଏବେ ନାମାଙ୍କନ ଦାଖଲ କରାଯିବ । ବିସିସିଆଇ ର ନିର୍ବାଚନ ଅଧିକାରୀ ରାଜୀବ ଶୁକ୍ଲାଙ୍କ ନାମକୁ ମଞ୍ଜୁରୀ ଦେଇଛନ୍ତି ।