ଲଣ୍ଡନ (ଏଟିଆର ବୁରୋ); ଚଳିତ ବିଶ୍ୱକପର ଆଜି ହେଉଛି ଦ୍ୱିତୀୟ ସେମିଫାଇନାଲ । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏହି ମ୍ୟାଚ । ଯେଉଁ ଦଳ ବିଜୟୀ ହେବ ନ୍ୟୁଜିଲାଣ୍ଡ ସହ ଫାଇନାଲରେ ଭେଟାଭେଟି ହେବ । ଗତକାଲି ଭାରତକୁ ହରାଇବା ପରେ ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରବେଶ କରିଛି । ଆଜିର ମ୍ୟାଚଟି ହାଇଭୋଲଟେଜ ହେବ ବୋଲି ସମସ୍ତଙ୍କ ଆଶା ରହିଛି । ଦୁଇ ଦଳ ଏବେ ଦମଦାର ପର୍ମରେ ଅଛନ୍ତି । ଏବଂ ଉଭୟ ଦଳରେ ଅଲରାଉଣ୍ଡର ଭରପୁର ଅଛନ୍ତି ।
ଇଂଲଣ୍ଡକୁ ପ୍ରଥମ ଥର ବିଶ୍ବକପ୍ ବିଜେତା କରିବା ଲାଗି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଟ୍ରେଭର ବେଲିସ୍ ପୁରା ଯୋଜନା କରିଛନ୍ତି। ଇଅନ୍ ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ ବିଶ୍ବ ମାନ୍ୟତାରେ ପ୍ରଥମ ସ୍ଥାନକୁ ଚଢ଼ିଥିବାରୁ ଏଥର ଟ୍ରଫି ଜିତିବାରେ ଆଶାରେ ରହିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟନ୍ ଜାସନ ରୟ ଏବଂ ଜନି ବେୟାରଷ୍ଟୋ ଫର୍ମରେ ରହିଛନ୍ତି।
ଲର୍ଡସରେ ଗତ ମାସରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୬୪ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଜାସନ ବେହରେନ୍ଡର୍ଫ ଓ ମିଚେଲ୍ ଷ୍ଟାର୍କ ନିଜ ମଧ୍ୟରେ ୯ ୱିକେଟ୍ ବାଣ୍ଟି ନେଇଥିଲା ବେଳେ ଅଧିନାୟକ ଆରୋନ ଫିଞ୍ଚ୍ ଶତକ ହାସଲ କରିଥିଲେ। କିନ୍ତୁ ଏହି ମ୍ୟାଚ୍ରେ ରୟ ଆହତ ଯୋଗୁଁ ଖେଳିପାରିନଥିଲେ। ରୟ ଦଳକୁ ଫେରିବା ପରେ ଭାରତ ଓ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲା।