ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ସରିଯାଇଛି ଦ୍ୱାଦଶ ଆଇପିଏଲ । ଚତୁର୍ଥଥର ଲାଗି ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫାଇନାଲରେ ମାତ୍ର ୧ ରନରେ ହାରିଥିବା ଚେନ୍ନାଇ କିନ୍ତୁ ବହୁ ଦର୍ଶକଙ୍କ ମନକୁ ଜିଣିନେଇଛି । ଦଳ ପାଇଁ ଏକାକି ଲଢ଼ି ବିଜୟ ପଥରେ ନେଉଥିବା ୱାଟସନଙ୍କ ବଳିଦାନକୁ ଭୁରି ଭୁରି ପ୍ରଂଶସା କରୁଛନ୍ତି କ୍ରିକେଟ ପ୍ରେମୀ । ବ୍ୟାଟିଂ ସମୟରେ ଅଭିଜ୍ଞ ୱାଟସନ ଇଞ୍ଜରି ହୋଇଥିଲେ । କିନ୍ତୁ ଏହା କେହି ମଧ୍ୟ ଜାଣିନଥିଲେ । ଶେଷ ଓଭରରେ ରନ ଆଉଟ ହୋଇ ପାଭିଲିୟନ ଫେରିବା ପରେ ଜଣା ପଡିଥିଲା ।
ୱାଟସନଙ୍କ ଆଣଣ୍ଠୁ ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲା । ତେବେ ସେ କଷ୍ଟ ଅନୁଭବ କରୁଥିଲେ ସୁଦ୍ଧା ଦଳକୁ ବିଜୟ କରିବା ପାଇଁ ଲଢ଼େଇ ଜାରି ରଖିଥିଲେ । ରକ୍ତ ଜୁଡୁବୁଡୁ ହୋଇ ବ୍ୟାଟିଂ କରୁଥିବା ୱାଟସନ ଶେଷରେ ଭୁଲ ବୁଝାବଣା ପାଇଁ ରନ ଆଉଟ ହୋଇଥିଲେ । ଦଳ ପରାଜୟ ମଧ୍ୟ ବରଣ କରିଥିଲା । କିନ୍ତୁ ୱାଟସନଙ୍କ ଲଢ଼ୁଆ ବ୍ୟାଟିଂ ସବୁଦିନ ପାଇଁ ମନେ ରହିବ ।ଦଳର ଅନ୍ୟ ଖେଳାଳିମାନେ ଆଉଟ ହୋଇଥିଲେ ସୁଦ୍ଧା ଏକାକି ଲଢ଼ି ୧୫୦ ରନର ବିଜୟ ଲକ୍ଷ୍ୟ ମଧ୍ୟରୁ ସେ ୮୦ ରନ କରିଥିଲେ ।
ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଥିବା ଏହି ଅଭିଜ୍ଞ ଖେଳାଳିଙ୍କ ନାମରେ ବହୁ କିର୍ତ୍ତୀମାନ ରେକର୍ଡ ରହିଛି । ଗତବର୍ଷ ଆଇପିଏଲ ସଂସ୍କରଣରେ ସେ ଚେନ୍ନାଇକୁ ବିଜୟ ଟିକା ପିନ୍ଧାଇଥିଲେ । ସେ ଫାଇନାଲରେ ଶତକୀୟ ପାଳି ଖେଳି ହାଇଦ୍ରାବାଦକୁ ହରାଇଥିଲେ । ତେବେ ଚଳିତ ବର୍ଷ ଫାଇନାଲରେ ଧୋନିଙ୍କ ରନ ଆଉଟ ତୃତୀୟ ଅମ୍ପାୟାର ଭୁଲ ନିଷ୍ପତି ଥିଲା ।