ଲିଡସ୍ (ଏଟିଆର ବ୍ୟୁରୋ); ବିଶ୍ୱକପର ଶକ୍ତିଶାଳି ଦାବିଦାର କୁହାଯାଉଥିବା ଇଂଲଣ୍ଡକୁ ହରାଇଛି ଶ୍ରୀଲଙ୍କା । ଗତକାଲି ଖେଳାଳଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ୨୦ ରନରେ ହରାଇଛି ଶ୍ରୀଲଙ୍କା । ଚଳିତ ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ପରାଜୟ ବରଣ କରିଛି । ଏହା ପୂର୍ବରୁ ଦଳ ପାକିସ୍ତାନ ଠାରୁ ହାରିଛି । ଗତକାଲି ମ୍ୟାଚରେ ଘାତକ ବୋଲର ମାଲିଙ୍ଗାଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ସାମନା କରିବା ପାଇଁ ସକ୍ଷମ ହୋଇ ନଥିଲେ । ୪ ୱିକେଟ ଅକ୍ତିଆର କରିଥିବା ମାଲିଙ୍ଗା ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୨୩୨ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ଯଦିଓ ୭ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ ତଥାପି ଦଳ ୯ ୱିକେଟ ବିନିମୟରେ ୨୩୨ ରନ କରି ପାରିଥିଲା । ଦଳର ପକ୍ଷରୁ ଅଭିଜ୍ଞ ଖେଳାଳି ଆଞ୍ଜେଲ ମ୍ୟାଥୁସଙ୍କ ଅପରାଜିତ ୮୫ ରନର ପାଳି ଶ୍ରୀଲଙ୍କାକୁ ମଜବୁତ କରିଥିଲା ।
୨୩୩ ରନର ସହଜ ବିଜୟ ଲକ୍ଷ୍ୟ ଭଳି ମନେ ହେଉଥିଲା । କିନ୍ତୁ ମାଲିଙ୍ଗାଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଇଂଲଣ୍ଡ । ମାତ୍ର ଆରମ୍ଭରୁ ଟିମ୍କୁ ଝଟକା ଲାଗିଥିଲା। ସ୍କୋର ୧ ରନ୍ ଓପନ୍ ଜନି ବେୟାରଷ୍ଟୋ ଆଉଟ୍ ହୋଇଥିଲେ। ଜେମସ୍ ଭିନ୍ସ ମଧ୍ୟ ଅଧିକ ସମୟ ପଡ଼ିଆରେ ରହିପାରି ନଥିଲେ। ସ୍କୋର ୨୬ ରନ୍ ବେଳକୁ ସେ ଆଉଟ୍ ହୋଇଥିଲେ। ସେହିପରି ସ୍କୋର ୭୩ ରନ୍ରେ ଅଧିନାୟକ ଇଅନ ମୋର୍ଗାନ, ୧୨୭ ରନ୍ରେ ଜୋଏ ରୁଟ, ୧୪୪ ରନ୍ରେ ଜୋସ୍ ବଟଲର ଓ ୧୭୦ ରନ୍ରେ ମୋଇନ୍ ଅଲି ଆଉଟ୍ ହୋଇଥିଲେ। ସେହିପରି ଶ୍ରୀଲଙ୍କାର ସପ୍ତମ ଶିକାର ହୋଇଥିଲେ କ୍ରିସ ଓ୍ଵକସ, ୧୭୮ ରନ୍ରେ ଆଦିଲ ରସିଦ ଓ ୧୮୬ ରନ୍ରେ ଜୋଫ୍ରା ଆର୍ଚ୍ଚର ପାଭଲିଅନ ଫେରିଥିଲେ।