ବାଙ୍କି(ଏଟିଆର ବ୍ୟୁରୋ): କଟକ ଜିଲ୍ଲା ବାଙ୍କି ସହରରେ ଏକ ପାହାଡ ଉପରେ ପ୍ରାଚୀନ ଶକ୍ତି ପୀଠ ଅବସ୍ଥିତ । ଏହି ପୀଠରେ ମା’ ଚର୍ଚ୍ଚିକା ପୂଜା ପାଉଛନ୍ତି । ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ମାନ ରହିଛି ।
ଓଡିଶାର ମହାନଦୀ କୂଳରେ ମା’ ଚର୍ଚ୍ଚିକା ଠାକୁରାଣୀ ଅଷ୍ଟଭୂଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି । ମା’ ତାଙ୍କର ଅଷ୍ଟଭୂଜରେ ଖଡ୍ଗ, ତ୍ରିଶୁଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଚ୍ଛିନ୍ନମସ୍ତକ ଏବଂ ଡମ୍ବୁର ଧାରଣ କରିଛନ୍ତି । ଏବଂ ଆଉ ଏକ ହାତର କନିଷ୍ଠ ଅଙ୍ଗୁଳି ନିଜ ଦାନ୍ତରେ କାମୁଡି ଧରିଛନ୍ତି । ଏବଂ ମା’ ତାଙ୍କ ବେକରେ ନରମୁଣ୍ଡ ମାଳ ପକାଇବା ସହ ଉଲଗ୍ନ ହୋଇ ଶବ ଉପରେ ବସି ରହିଛନ୍ତି । ସେଥିପାଇଁ ମା’ଙ୍କୁ ଚାମୁଣ୍ଡା ବୋଲି ଗ୍ରହଣ କରାଯାଛି । ଏହି ମନ୍ଦିର ପରିଧିରେ ଥିବା ମା’ ମଙ୍ଗଳାଙ୍କ ଠାରେ ପଶୁ ବଳି ଦିଆ ଯାଏ । ଏବଂ ସେହି ପଶୁର ମୁଣ୍ଡକୁ ଏକ ମାଟି ପାତ୍ରରେ ନେଇ ମା’ ଚର୍ଚ୍ଚିକାଙ୍କ ପାଖରେ ଅର୍ପଣ କରାଯାଇଥାଏ ।
ନବରାତ୍ରି ତଥା ଦୁର୍ଗା ପୂଜା ସମୟରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ଦୂରଦୁରାନ୍ତରୁ ଭକ୍ତମାନେ ମା’ଙ୍କ ଆର୍ଶିବାଦ ନେବା ଲାଗି ବାଙ୍କି ଯାଇଥାନ୍ତି । ଏହି ବାଙ୍କି ସହର କଟକ ଠାରୁ ୪୯ କିଲୋମିଟର ଏବଂ ରାଜଧାନୀ ଭୁବନେଶ୍ୱର ଠାରୁ ୫୩ କିଲୋମିଟର ଦୂରତାରେ ଅବସ୍ଥିତ । ଏହି ମନ୍ଦିର ଭ୍ରମଣ କରିବା ପାଇଁ ଉପଯୁକ୍ତ ସମୟ ହେଉଛି ଶୀତ ଋତୁ ।