ପୁରୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିଥିବାରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।
ଆସନ୍ତା ୧୨ ଓ ୧୩ ତାରିଖ ୨ ଦିନ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଅଗଷ୍ଟ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିଛି । ସେହିପରି ଅଗଷ୍ଟ ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଛି । ମନ୍ଦିର ଭିତରକୁ ପ୍ରବେଶ କଲାବେଳେ କୋଭିଡ ଗାଇଡ ନିୟମ ପାଳନ କରିବା ସହ ସ୍ୱାସ୍ଥ୍ୟ ବିମା କାର୍ଡ, ଆଧାର କାର୍ଡ ବା ଭୋଟା କାର୍ଡ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଏହାସହ ଭକ୍ତଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବା ଡବଲ୍ ଡୋଜ ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ।
ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସମୟରେ ମନ୍ଦିରରେ ଦର୍ଶନ ବନ୍ଦ ରହିବ । ବିଭିନ୍ନ ପର୍ବପର୍ବାଣୀ ମାନଙ୍କରେ ଭିଡ ହେବାର ଆଶଙ୍କା ଥିବାରୁ ମଧ୍ୟ ମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରକୁ ଭୋଗ, ଫୁଲ ଓ ଦୀପ ନେଇ ଯାଇପାରିବେ ନାହିଁ ଭକ୍ତ । ଏବଂ ଏହାସହ ମନ୍ଦିର ଭିତରେ ଥିବା କୌଣସି ମୂର୍ତ୍ତିକୁ ଛୁଇଁପାରିବେ ନାହିଁ ଭକ୍ତ ।