ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ପୁଣି ଅଶାନ୍ତ ବ୍ରହ୍ମପୁର । ସକାଳୁ ସକାଳୁ ହୋଇଛି ବୋମାମାଡ । କାର ଉପରକୁ ଦୁର୍ବୃତ୍ତମାନେ ବୋମା ଫିଙ୍ଗିଥିବା ବେଳେ ଘଟଣାକୁ ନେଇ ପୂରା ଏରିଆ ଥରହର ହୋଇଛି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ବୋମାମାଡ କରିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଅନୁମାନ କରାଯାଉଛି ପୂର୍ବ ଶତ୍ରୁତାକୁ ନେଇ ଏଭଳିି ଆତଙ୍କ ରଚାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୪ଟି ଅଫୁଟା ବୋମା ସମେତ ଏକ ସିବିଜି ବାଇକ ଜବତ ହୋଇଛି । ଅଭିଯୁକ୍ତମାନେ ଫେରାର ରହିଛନ୍ତି । ବୋମାମାଡ଼ରେ ୪ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ ଅନୁସାରେ, ଚିକେନ ରବି ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ସୁଶାନ୍ତ ବିଶୋଇ କିଛିଦିନ ହେବ ଜାମିନରେ ଫେରିଛି । ତେବେ ଜାମିନରେ ଫେରିବା ପରେ ଥାନାରେ ବ୍ୟକ୍ତିଗତ ହାଜର ହୋଇ ଦସ୍ତଖତ ଦେବାକୁ ନିର୍ଦ୍ଦେଶ ରହିଛି । ତେଣୁ ସେ ଆଜି ସକାଳେ ତାର ୪ ସହଯୋଗୀଙ୍କ ସହ ଏକ ହୁଣ୍ଡାଇ ଆଇ ୨୦କାରରେ ଗୋଷାଣୀ ନୂଆଗାଁ ଥାନାକୁ ଆସୁଥିଲା । ଅଚାନକ ଢ଼ୀପସାହି ଛକ ପାଖରେ କାର ସାମ୍ନାକୁ ଏକ ଜେସିବି ଆସି ଯିବାରୁ କାରଟି ଅଟକିଯାଇଥିଲା । ଠିକ ଏହି ସମୟରେ ଦୁର୍ବୃତତ୍ତମାନେ ସିବିଜି ବାଇକରେ ଆସି କାର ଉପରକୁ ବୋମା ଫିଙ୍ଗି ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲେ । ଘଟଣାରେ ସୁଶାନ୍ତ ଗୁରୁତର ଆହତ ହୋଇଥିବା ବେଳେ କାରରେ ଥିବା ଗୋପି ପାତ୍ର, ରାଜେଶ ବିଶୋଇ ଓ ମୁନା ମହାରଣା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି । ସେପଟେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଗତକାଲି ଗୋଳନ୍ଥରା ଅଞ୍ଚଳରେ ମଧ୍ୟ ଗୋଷ୍ଠୀ ସଙ୍ଘର୍ଷ ଘଟି ଉଭୟ ପକ୍ଷରୁ ୭ରୁ ଅଧିକ ଆହତ ହୋଇଥିଲେ ।