ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଢ଼େରଦିନ ପରେ ପୁଣି ରକ୍ତର ଛିଟା ଲାଗିଛି ବ୍ରହ୍ମପୁରରେ । ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି ମଦ ଦୋକାନରେ କାର୍ଯ୍ୟରତ ଜଣେ ସେଲ୍ସ ମ୍ୟାନକୁ । ତାଙ୍କ ନାଁ ବିଜୟ କୁମାର ଡାକୁଆ, ଘର ଜଗଦଳପୁର ଗାଁ ଶୁଣ୍ଢି ସାହି ।
ପୁଲିସ ବିଜୟଙ୍କ କ୍ଷତାକ୍ତ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । ତେବେ କିଏ ବିଜୟଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାପଛରେ ପୂର୍ବଶତ୍ରୁତା ଥିବା ସନ୍ଦେହ କରାଯାଉଛି । ରିପୋର୍ଟ ଅନୁସାରେ, ଗାଁ ପାଖରେ ଥିବା ଏକ ଦେଶୀ ମଦ ଦୋକାନରେ ସେଲ୍ସ ମ୍ୟାନ କାମ କରୁଥିଲେ ବିଜୟ । ସବୁଦିନ ପରି ଦୋକାନ ବନ୍ଦ କରି ଗତକାଲି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।
ଗାଁ ପାଖରେ ଥିବା ଠାକୁରାଣୀ ମନ୍ଦିର ପାଖରେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ କରିଥିବା କୁହାଯାଉଛି । ସକାଳୁ ରାସ୍ତା ମଝିରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।