ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ନିଜର ପାଞ୍ଚଦଫା ଦାବିକୁ ନେଇ ଯାଜପୁର ଏକତା ମଞ୍ଚ ସୋମବାରଠାରୁ ରାଜଭବନ ସମ୍ମୁଖରେ ଧାରଣାରେ ବସିଛି । ଏହି ଆନ୍ଦୋଳନରେ ମଞ୍ଚର ସଭାପତି ଗୟାଧର ମଲ୍ଲିକ, ସମ୍ପାଦକ ଅକ୍ଷୟ ଜେନା, ହେମନ୍ତ ରଥ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ମହାନଦୀ ବଞ୍ଚଅ ଆନ୍ଦୋଳନର ସୁଦର୍ଶନ ଦାସ, ପ୍ରଶାନ୍ତ ବିଶୋଇ, ବରିଷ୍ଟ ସାମ୍ବାଦିକ ବିଷ୍ନୁ ଚରଣ ସାହୁ, ପରିକ୍ଷୀତ ମଲ୍ଲିକ, ସୂର୍ଯ୍ୟମଣି ମଲ୍ଲିକ, ହାଡିବନ୍ଧୁ ସ୍ୱାଇଁ, ଲଳିତମୋହନ ପଟ୍ଟନାୟକ, ପଦ୍ମାକର ଗୁରୁ, ମଞ୍ଚର ବରିଷ୍ଟ ସଦସ୍ୟ ଗୁଣନିଧୀ ଗୁରୁ, ସର୍ବେଶ୍ୱର ବେହୁରା, ପ୍ରସନ୍ନ ସ୍ୱାଇଁ, ରବିନ୍ଦ ମହାପାତ୍ର, ଗୀତାଞ୍ଜଳି ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି ।
ମଞ୍ଚର ସଭାପତି ଗୟାଧର ମଲି୍ଲକଙ୍କ କହିବାନୁଯାୟୀ, ଦେଶରେ ଯାଜପୁର ଜିଲ୍ଲା ଏକ ଶିଳ୍ପ ଉନ୍ନତ ଜିଲ୍ଲା ରୂପେ ପରିଗଣିତ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ଆଖିଦୃଶିଆ ବିକାଶ ହୋଇପାରି ନାହିଁ । ଏଠାରେ ଖଣି ଖାଦାନକୁ ନେଇ କର୍ପୋରେଟ ମାଲାମାଲ ହେଉଥିବା ବେଳେ ବେକାର ଯୁବକଟିଏ ଦାଦନ ଖଟିବାକୁ ବାହାରକୁ ଯାଉଛି । ଚଳିତ ଅପ୍ରେଲ ମାସରେ ଜିଲ୍ଲା ଗଠନକୁ ୨୫ ବର୍ଷ ପୁରି ଯାଇଥିଲେ ମଧ୍ୟ ଜିଲ୍ଲାର ବିକାଶ କେବଳ କାଗଜ କଲମରେ ସିମିତ ରହିଯାଇଛି । ବିଗତ ଦିନରେ କଳିଙ୍ଗ ନଗର ଗୁଳିକାଣ୍ଡ ଏବଂ ନଗଡା ଭଳି ଚିତ୍ର ପାଇଁ ସାରା ବିଶ୍ୱରେ ଯାଜପୁରକୁ ନିନ୍ଦିତ ହେବାକୁ ପଡିଛି ।
ଯାଜପୁରର ସମସ୍ୟା ଓ ଜିଲ୍ଲାବାସୀଙ୍କ ଉଦ୍ବେଗକୁ ଲକ୍ଷରେ ରଖି ଯାଜପୁର ଏକତା ମଞ୍ଚ ପକ୍ଷରୁ ଭିଜନ ଯାଜପୁର-୨୦୨୫ ନାମକ ଏକ ଦସ୍ତାବିଜ ମଇ ୧୪ ତାରିଖରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ ଏ ଦିଗରେ କୌଣସି ତତ୍ପର୍୍ତା ଦେଖାଇ ନ ଥିଲେ । ଯାହା ଫଳରେ ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବ୍ୟାସନଗର ଠାରେ ଏକ ଜନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟତଃ ପାଞ୍ଚଗୋଟି ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା ।
ଏହି ଦାବିଗୁଡିକ ହେଲା, ପାଣିକୋଇଲି ଠାରେ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରି ଠାରେ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ, କଳିଙ୍ଗ ନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି, ଜିଲ୍ଲାର ସମସ୍ତ ଭୂମିହୀନଙ୍କୁ ଜମି, ବାସହୀନଙ୍କୁ ଗୃହ ପ୍ରଦାନ ଏବଂ ଚଣ୍ଡିଖୋଲ ଠାରେ କେନ୍ଦ୍ରସରକାରଙ୍କ ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ।
ମଞ୍ଚର ଅନ୍ୟତମ କାର୍ଯ୍ୟକର୍ତ୍ତା ହେମନ୍ତ ରଥଙ୍କ କହିବାନୁଯାୟୀ, ଜନସତ୍ୟାଗ୍ରହ ହେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବା ନିହାତି ଦୁଖଃ ଏବଂ ପରିତାପର ବିଷୟ । ଏଣୁ ଉପରୋକ୍ତ ପାଞ୍ଚଟି ଦାବିକୁ ନେଇ ଅକ୍ଟୋବର ୧୫ ତାରିଖରେ ମଞ୍ଚ ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ମାନବାଧିକାର ପ୍ରବକ୍ତା ମନୋଜ ଜେନାଙ୍କ ନେତୃତ୍ୱରେ ଏହି ସତ୍ୟାଗ୍ରହର ଆୟୋଜନ କରାଯାଇଛି ।