ମହାରାଷ୍ଟ୍ର (ଏଟିଆର ବ୍ୟୁରୋ ) ; ସାଇ ଧାମରେ ମୋଦି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିରିଡି ସାଇ ପୀଠକୁ ପରିଭ୍ରମଣ କରିଛନ୍ତି । ଆଜି ଶିରିଡି ସାଇଙ୍କ ସମାଧିର ଶହେ ବର୍ଷ ପୂର୍ତ୍ତି ଅବସରରେ ସିରିଡି ପୀଠରେ ମୋଦି ପହଞ୍ଚି ଏକ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରିଛନ୍ତି । ବେଶ କିଛି ସମୟ ଶିରିଡି ପୀଠରେ ମୋଦି ସମୟ କଟାଇ ସାଇଙ୍କ ସ୍ମୃତି ଚାରଣ କରିଛନ୍ତି । ମନ୍ଦିରରେ ଥିବା ଭିଜିଟର ବହିରେ ମଧ୍ୟ ମୋଦି ନିଜ ମନକଥା ବଖାଣିଛନ୍ତି ।
ଶିରିଡି ସାଇଙ୍କୁ ମନେପକାଇଲେ ସାଧାରଣ ଲୋକଙ୍କ ସେବା କରିବା ନିମନ୍ତେ ମନରେ ଉତ୍ସାହ ଆସେ ବୋଲି ମୋଦି କହିଛନ୍ତି । ସାଇଙ୍କ ଚରଣରେ ରହି ଗରିବ ଲୋକଙ୍କ ପାଇଁ କାମ କରିବା ହିଁ ସୌଭାଗ୍ୟ ବୋଲି ମୋଦି କହିଛନ୍ତି । ଏହାସହ ଶିରିଡିରେ ପ୍ରଧାନମନ୍ତ୍ରୀ ମୋଦି ଏକ ରାଲିକୁ ସମ୍ବୋଧନ କରିବା ସହ ବହୁ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ଦେଶବାସୀଙ୍କୁ ମୋଦି ବିଜୟାଦଶମୀର ଶୁଭକାମନା ଜଣାଇଛନ୍ତି । ଅନ୍ୟପଟେ ଶିରିଡିଙ୍କ ଶହେ ବର୍ଷ ପୂର୍ତ୍ତି ଅବସରରେ ଶିରିଡି ଧାମରେ ଅନେକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି ।
ଅକ୍ଟୋବର ୧ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଶିରିଡି ସାଇଙ୍କ ଶତାବ୍ଦୀ ସମାରୋହର ଉଦଘାଟନ କରିଥିବା ବେଳେ ସେବେଠାରୁ ବହୁ ଦିନ ଧରି ଏହି ଧାମରେ ପ୍ରତେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ଘଟିଛି । ୧୯୧୮ ମସିହାରେ ଶିରିଡି ସାଇଙ୍କ ଦେହାବସାନ ହୋଇଥିବାରୁ ଏହାର ଶହେ ବର୍ଷ ପୁର୍ତ୍ତି ଅବସରରେ ବିରାଟ ଆୟୋଜନ କରାଯାଇଛି । ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ତଥା ଦେଶର ବହୁ ହାଇପ୍ରୋଫାଇଲ ବ୍ୟକ୍ତିମାନେ ଏହି ସମାରୋହରେ ଯୋଗ ଦେଇସାରିଛନ୍ତି ।