ଭୁବନେଶ୍ୱର, ୯ା୨/(ବ୍ୟୁରୋ): ଯେଉଁ ବୟସରେ ଖେଳକୁଦ ସହ ପାଠ ପଢ଼ିବା କଥା ସେହି ବୟସରେ ଆଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଭଲ କି ଦୁନିଆ ଦେଖିନଥିବା ଆଲୋକ କେତେବେଳେ ଯେ ଆଖିବୁଜିବ ତାହା ଭଗବାନଙ୍କୁ ଜଣା । ସେପଟେ ଏହି ଘଟଣାକୁ ନେଇ ପୂରା ପରିବାର ଭାଙ୍ଗିପଡିଛନ୍ତି । ଖୋର୍ଦ୍ଧା କନ୍ତଳବାଇ ପଞ୍ଚାୟତ ଗୋବର୍ଧନପୁର କଲୋନୀ ପାନ ଦୋକାନୀ ନବ କୁମାର ଦାସ ଓ କମଳାଙ୍କ ଏକମାତ୍ର ପୁଅ ହେଉଛନ୍ତି ଆଲୋକ ।
ମାତ୍ର ୧୨ବର୍ଷ ବୟସରେ ତାଙ୍କର ଦୁଇଟି କିଡନି ଖରାପ ହୋଇଯାଇଛି । ଆଜକୁ ଠିକ୍ ୬ମାସ ତଳେ ଅଚାନକ୍ ଆଲୋକଙ୍କ ବାନ୍ତି ହୋଇଥିଲା । ଚିକିତ୍ସାରୁ ଜଣାପଡିଥିଲା ତାଙ୍କ କିଡନି ଖରାପ । ଏ କଥା ଶୁଣିବା ପରେ ପାନ ଦୋକାନ କରି ପରିବାର ଚଳାଉଥିବା ନବଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା । ଗୋଟିଏ ପଟେ ଚିକିତ୍ସା ଲାଗି ମୋଟା ଅଙ୍କର ଅର୍ଥ ଆଉ ଏପଟେ ଗୋଟିଏ ବୋଲି ପୁଅର ମରଣ ସହ ସଗ୍ରାମ ତାଙ୍କୁ ଏକ ପ୍ରକାର ପାଗଳ କରିଦେଇଛି । ଚିକିତ୍ସା ଲାଗି ୭ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ । ଦିନକୁ ଦିନ ପୁଣି ଆଲୋକଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି । ତେବେ ଦୁଃଖର କଥା ମନବଳ ନଭାଙ୍ଗି ଘରଦ୍ୱାର ବନ୍ଧା ପକାଇ ପୁଅର ଚିକିତ୍ସାରେ ଲାଗିଛନ୍ତି ନବ ।
କିନ୍ତୁ ଅର୍ଥାଭାବ ଯୋଗୁ ପୁଅକୁ ବଞ୍ଚାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଅଲିଅଳି ପୁଅ ଲାଗି ଘରଦ୍ୱାର ଏପରିକି ଦୋକାନ ସବୁ କିଛି ବନ୍ଧା ପଡିସାରିଥିବା କାନ୍ଦିକାନ୍ଦି କହିଛନ୍ତି ନବ । ସରକାରୀ ସହାୟତା ବି ସେ ଏଯାବତ୍ ପାଇ ପାରିନାହାନ୍ତି । ପୁଅକୁ ବଞ୍ଚାଇବା ଲାଗି କମଳା ଏବେ ନିଜ କିଡନି ଦେବା ଲାଗି ବି ପ୍ରସ୍ତୁତ । କିନ୍ତୁ ସବୁରି ମୂଳରେ ଟଙ୍କାର ଅଭାବ ଥିବାରୁ ସହଯୋଗର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି । ସେଥିପାଇଁ ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ପକ୍ଷରୁ ଆଲୋକ ଲାଗି ସାହାଯ୍ୟ ଓ ସହାୟତା କରିବାକୁ ଚାହୁଁଥିଲେ ୯୫୮୩୬୫୫୪୦୪ ନଚେତ୍ ୮୩୪୨୯୪୯୪୨୬ରେ ଯୋଗାଯୋଗ କରିବା ଲାଗି ହତାସ ବାପା-ମା’ ନିବେଦନ କରିଛନ୍ତି ।