କଳାହାଣ୍ଡି (ଏଟିଆର ବ୍ୟୁରୋ ) ; ଶେଷରେ ହତାଶ ହେଲା ଚାଷୀ । ନିଜ ଚାଷ ଜମିରେ ଲଗାଇଲା ନିଆଁ । ବର୍ଷା ଅଭାବ ସାଙ୍ଗକୁ ରୋଗ ପୋକ ଜନୀତ ସମସ୍ୟା କାରଣରୁ ଚାଷୀଟିଏ ନିଜ ମୁଣ୍ଡରେ ହାତ ଦେଇ ବସିଛି ତ ଋଣ ସମସ୍ୟା ଚାଷୀ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇପଡିଛି । ଏଥିରେ ଅତିଷ୍ଠ ହୋଇ ଶେଷରେ ନିଜ ଏକର ଏକର ଚାଷ ଜମିରେ ନିଆଁ ଲଗାଇବାକୁ ପଛାଇନାହାନ୍ତି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ଗ୍ରାମରେ ।
ଚଳିତ ବର୍ଷ ଚାଷ ନିମନ୍ତେ ବର୍ଷାର ଦେଖା ନଥିବା ବେଳେ ରଣମାଲ ଗ୍ରାମର ସ୍ୱାଧୀନ ନାୟକଙ୍କ ୨ ଏକର ଚାଷ ଜମିର ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟେ ପଟେ ଚାଷ ପାଇଁ ବର୍ଷା ବାଧକ ସାଜିଥିବା ବେଳେ ଅନ୍ୟ ପଟେ ମୁଣ୍ଡରେ ଋଣ ଚିନ୍ତା ତାଙ୍କୁ ଜମିରେ ନିଆଁ ଲଗାଇବାକୁ ବାଧ୍ୟ କରିଛି । ଆଜି ସକାଳେ ସ୍ୱଧୀନ ନିଜ ୨ ଏକର ଚାଷ ଜମିରେ ନିଆଁ ଲଗାଇଦେଇଥିଲେ । ତେବେ ଗ୍ରାମବାସୀଙ୍କ ଉଦ୍ୟମରେ ନିଆଁକୁ ଆୟତକରାଯାଇଥିବା ଜଣାପଡିଛି । ସ୍ୱାଧୀନ ଗ୍ରାମର ଏକ ଗ୍ରୁଫ ପାଖରୁ ୩୦ ହଜାର ଟଙ୍କା ଋଣ ଅ।ଣି ଚାଷକାର୍ଯ୍ୟରେ ଲଗାଇଥିଲେ ହେଁ ଚାଷରେ ଏପରି କ୍ଷତି ହେବା ଦେଖି ହତାଶ ହୋଇ ଏପରି ଉଦ୍ୟମ କରିଥିବା ଜଣାପଡିଛି । ୨ ପୁଅ ,ଜଣେ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ସ୍ୱାଧୀନଙ୍କ ପରିବାର । ଏପରି ସ୍ଥିତିରେ ପରିବାର ପ୍ରତିପୋଷଣର ଚିନ୍ତା ସ୍ୱଧୀନଙ୍କ ମୁଣ୍ଡରେ ଥିବାବେଳେ ଚାଷରେ କ୍ଷତି ଓ ଋଣଭାର ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଥିବା ସ୍ୱାଧୀନ କହିଛନ୍ତି । ଏପରି ସି୍ଥତିରେ ପ୍ରଶାସନ ତରଫରୁ କିଛି ସାହାର୍ଯ୍ୟ ପାଇଁ ସ୍ୱାଧୀନ ଅନୁରୋଧ କରିଛନ୍ତି ।