ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଦିନ କେଇଟା ଯାଇନି । କିନ୍ତୁ ରଂଗ ବଦଳି ଗଲା । ପଦାରେ ପଡିଲା ଭେଜାଲର ଚିତ୍ର । ବିଶ୍ୱକପ ହକି ପାଇଁ ରାଜଧାନୀକୁ ଚକାଚକ କରିବା ଲାଗି ଆଖି ବୁଜା ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର । ହେଲେ ମାସେ ନପୁରୂଣୁ ଏଭଳି ଦୃଶ୍ୟ ଏବେ ଲୋକଙ୍କୁ ତାଜୁବ କରିଛି । ଯାହା ପାଟିରେ ଶୁଣ ସେଇ ଗୋଟିଏ କଥା ପାଣିରେ ପଡିଲା ଟଙ୍କା ।
ଆମେ କହୁଛୁ ରାସ୍ତା କଡ଼ରେ ହୋଇଥିବା ସାଇକେଲ ଲାଗି ନାଲି ଟ୍ରାକର କଥା । ଯାହାର ରଙ୍ଗ ଏବେ ବେରଙ୍ଗ ହୋଇଛି । ସିଧା କହିବାକୁ ଗଲେ ଟ୍ରାକରେ ସାଇକେଲ କେତେଦିନ ଯେ ଗଡିଛି ତାହା ମା’ ଗଙ୍ଗେଇ ଜାଣନ୍ତି । ହେଲେ ରଙ୍ଗ କିନ୍ତୁ ଛାଡିଗଲାଣି । ଯାହାକୁ ନେଇ ଲୋକେ ଏବେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ।
ବିଶ୍ୱକପ ସରିବା ପୂର୍ବରୁ ଏହି ରଙ୍ଗ ଛାଡିଲାଣି । ଅନୁସନ୍ଧାନ କହୁଛି ମୁଖ୍ୟତଃ ଏହି ଟ୍ରାକ ଉପରେ ସାଇକେଲ ଅପେକ୍ଷା ଚାରି ଚକିଆ ଯାନ ଏବଂ ଭାରି ଯାନ ଗଡୁଛି । ଯାହା ରଂଗ ଛାଡିବା ପଛର ମୂଳ କାରଣ । କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ରଙ୍ଗ ଅଧିକ ପରିାମାଣରେ ଛାଡିଥିବା ଦେଖିବାକୁ ମିଳିଛି । ତେବେ କେତେକ ସ୍ଥାନରେ ତ’ ଏପରି ଲାଗୁଛି ଯେ ଏଠାରେ ଆଦୌ ହିଁ ରଂଗ ହୋଇନାହିଁ ।
ପୂର୍ବରୁ ଏହି ଲାଲଟ୍ରାକ ଉପରେ ଗାଡି ପାର୍କିଂ କରାଯାଉଥିବା ନେଇ ଆମେ ଖବର ପ୍ରକାଶ କରିଥିଲୁ । ହେଲେ ଏହା ଉପରେ କାହାରି ନଜର ପଡିନଥିଲା । ଫଳସ୍ୱରୂପ ଏଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ସରକାର ଖର୍ଚ୍ଚ କରିଥିବା ଏତେ ସବୁ ଟଙ୍କାର କୈାଣସି ମୂଲ୍ୟ ନଥିବା ଏବେ ସାଧାରଣରେ ମତ ପ୍ରକାଶ ପାଇଛି ।