ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ରାତି ପ୍ରାୟ ଅଢ଼େଇଟା । ସ୍ଥାନ ବରଗଡ଼ ସୋହେଲା ବ୍ଲକର ବନବିରା ଅଂଚଳ । ଯେଉଁଠି ଘଟିଛି ଅଭାବନୀୟ ଘଟଣା । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବତ୍ର ସିଂହଙ୍କ ସମେତ ତାଙ୍କର ୩ଜଣ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସମସ୍ତେ ଏକ କାରରେ ଯାଉଥିବା ବେଳେ ଅଚାନକ୍ କାରକୁ ଅଟକାଇ ପାଖାପାଖି ୨୦ରୁ ଅଧିକ ଦୁର୍ବୃତ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳଛି ।
ସେପଟେ ଆଉ କିଛି ସମୟ ବାକି ଅଛି ବିଜେପୁର ନିର୍ବାଚନ । ଏପରି ପରିସ୍ଥିତିରେ ଏହି ଆକ୍ରମଣ ଘଟଣା ପାକ ରାଜନୈତିକ ହିଂସା ବୋଲି ଶୁଣିବାକୁ ମିଳୁଛି । ସେପଟେ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିିଛି ପୁଲିସ । ସମସ୍ତଙ୍କୁ ଚିକିତ୍ସା ଲାଗି ବୁର୍ଲା ହସପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ ହୋଇଛି । ତେବେ ଘଟଣାପଛରେ ବିଜେପିର ହାତ ଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ।
ନିର୍ବାଚନ ହାରିବା ଭୟରେ ଏଭଳି ଆକ୍ରମଣ ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ଏହାର ପାଲଟା ଜବାବ ରଖିଛି ବିଜେପି । ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର କହିଛନ୍ତି ବିଜେପି ହିଂସାରେ ବିଶ୍ୱାସ କରେନାହିଁ । ବିଜେଡିର ଏଭଳି ଅଭିଯୋଗରେ ଆଦୌ ସତ୍ୟତା ନାହିଁ । ଘଟଣାର ତଦନ୍ତ ହେଉ ସତ ଆପେ ଜଣାପଡିବ ବୋଲି ସେ ଜଣାଇଛନ୍ତି ।