ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଯାହାପାଇଁ ଆମ ପ୍ରତିଟି ଭୁଲ ଭଟକା ସାମ୍ନାକୁ ଆସୁଛି । ଆମ ଭିତରେ ଥିବା ଫାଟ ଲୋକେ ଜାଣୁଛନ୍ତି । ଯଦି ସେମାନଙ୍କୁ ହାତ କରି ନିଆଯାଏ ତେବେ ଏ ସବୁଥିରେ ରୋକ ଲାଗିବ । ଆମ ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରହିବ । ଖାସ ଏଥିପାଇଁ କମିଶନରେଟ ପୁଲିସ ଖେଳିଛି ମାଷ୍ଟରପ୍ଲାନ । ଏ କଥା ଆମେ ନୁହେଁ ବରଂ ସହରସାରା ଚର୍ଚ୍ଚା । କେତେକ ହାତଗଣତୀ ସାମ୍ବାଦିକଙ୍କୁ ହାତକରି ଏବେ ନିଜର ଗୁଣଗାନ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୁଲିସ । ଗୋଟିଏ ପଟେ ପୁଲିସ ଡିଜି ସାଧାରଣ ଜନତାଙ୍କ ନିକଟତର ହେବାକୁ କହୁଥିବା ବେଳେ ଏପଟେ କିନ୍ତୁ ପୁଲିସ ସାମ୍ବାଦିକଙ୍କ ନିକଟତର ହେବା ଦୃଶ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି ।
ବାଟ ହୁଡୁଥିବା ପୁଲିସ ଓ ଢ଼ିଲା ମାରୁଥିବା ପ୍ରଶାସନକୁ ବାଟକୁ ଆଣିବା ଲାଗି ଜଣେ ସାମ୍ବାଦିକର ଥାଏ ଗୁରୁତ୍ୱପୂର୍ଣ୍ଣ ଭୁମିକା । ଯେଉଁଠି ଲୋକଙ୍କୁ ସୁରକ୍ଷା ମିଳେନି ଓ ଅବହେଳାର ଶିକାର ହୁଏ ଠିକ୍ ସେଠାରେ ହିଁ ଲୋକଙ୍କ ସ୍ୱର ହୋଇ ଛିଡା ହୁଏ ସାମ୍ବାଦିକ । ସେ ପୁଲିସ ହେଉ ଅବା ପ୍ରଶାସନର ଲାଖୁନାକୁ ସାମ୍ନାକୁ ଆଣି ସମାଧାନର ବାଟ ଫିଟାଏ । କିନ୍ତୁ ଆଶ୍ଚର୍ଯ୍ୟ ଏବେ ହୁଏତ ତାହା ଆଉ ସମ୍ଭବ ହେଉନାହିଁ । ପୁଲିସ ଓ ସାମ୍ବାଦିକଙ୍କ ଭିତିରି ସମ୍ପର୍କ ବଢ଼ିଚାଲୁଥିବା ଯୋଗୁ ଅଯଥାରେ ସାଧାରଣ ଲୋକଟିର ସ୍ୱର ଏଠି ଦବି ଯାଉଛି । ଯଦିବା କୌଣସି ଅଭିଯୋଗ ସାମ୍ବାଦିକଙ୍କ ପାଖରେ ପହଞ୍ଚୁଛି ସେପଟେ କିନ୍ତୁ ପୁଲିସ ବାବୁଙ୍କ ସହ ଉତ୍ତମ ସମ୍ପର୍କ ଯୋଗୁ ସେହି ଖବର ଦବି ଯାଉଛି । ଫଳସ୍ୱରୂପ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଛି ।
ଏଭଳି ଯଦି ଲାଗି ରହେ ତେବେ ଆଗକୁ ଏହା ନିହାତି ଭାବେ ବଡ଼ ସମସ୍ୟା ସୃଷ୍ଟି କରିବ । ସୂଚନାଯୋଗ୍ୟ, ନିକଟରେ ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ । ସେତେବେଳେ ପୁଲିସର ଏଭଳି କାର୍ଯ୍ୟକୁ ନେଇ ଚାରିଆଡୁ ପ୍ରତିବାଦର ସ୍ୱର ଉଠିଲା । ହେଲେ ର୍ଦୁଭାଗ୍ୟ, ସେହି ସାମ୍ବାଦିକଙ୍କ ଭିତରେ କେତେକ ସାମ୍ବାଦିକ ପୁଲିସବାବୁଙ୍କ ସହ ସାଲିସ କରି ନିଜ ଭିତରେ ଥିବା ଫାଟ ଜଣାଇଦେଲେ । ଯାହାର ଭରା ଫାଇଦା ଉଠାଇଲା ପୁଲିସ । ଘଟଣାପରେ କୌଣସି ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବା ଏହାର ସବୁଠୁ ବଡ଼ ପ୍ରମାଣ ।
ପୁଲିସ ଓ ସାମ୍ବାଦିକଙ୍କ ସମ୍ପର୍କକୁ ଆମେ ବିରୋଧ କରୁନାହୁଁ କିନ୍ତୁ ଯେଉଁ ଭାବପ୍ରୀତି ସାମ୍ବାଦିକଙ୍କ ଲାଗି ଉଛୁଳୁଛି ସେହି ଭାବ ଯଦି ସାଧାରଣ ଜନତାଙ୍କ ପାଇଁ ପୁଲିସ ଦେଖାନ୍ତା ତେବେ ଲୋକେ ଭଗବାନ ଭଳି ପୁଲିସକୁ ପୂଜା କରନ୍ତେ । କିନ୍ତୁ କହିବା ବାହୁଲ୍ୟ ଯେ, ଲୋକଙ୍କୁ କିଏ ପଚାରେ ଯଦି ସାମ୍ବାଦିକ ହାତରେ ରହିଲେ ନିଜର ଗୁଣଗାନ ହେବାକୁ କେହି ରୋକି ପାରିବେ ନାହିଁ । ଖାସ ଏହି ଢ଼ାଞ୍ଚାରେ ଆଗେଇ ଚାଲିଛି କମିଶନରେଟ ପୁଲିସ । ବ୍ୟୁରୋ ରିପୋର୍ଟ….ଏଟିଆର ନ୍ୟୁଜ୍