ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶବାସୀଙ୍କ ପାଇଁ ଫେବ୍ରୁଆରୀ ୧୪ ଥିଲା କଳାଦିବସ । ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ସହୀଦ ହେବା ସହ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ । ଯାହାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି । ଏହାସହିତ ଆତଙ୍କବାଦୀଙ୍କୁ କଡା ଜବାବ ଦେବା ବୋଲି ଦାବି କରାଯାଉଛି । ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ ପାକିସ୍ତାନ ବିରୋଧରେ ରଣନୀତି ହୋଇପାରେ । ବୈଠକରେ ସେନାଧ୍ୟକ୍ଷ ଏବଂ ରକ୍ଷାମନ୍ତ୍ରୀ ମଧ୍ୟରେ ଆଲୋଚନା ହେବ । ଏହାପୂର୍ବରୁ ଦୁଇଟି ବୈଠକ ହୋଇ ସାରିଛି ।
ସେହିପରି ପୁଲୱାମାରେ ଗତକାଲି ବିଳମ୍ବିତ ରାତି ଯାଏଁ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏଥିରେ ଜଣେ ମେଜର ସାହେବଙ୍କ ସମେତ ୪ ଜଣ ଯବାନ ସହୀଦ ହୋଇଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ଯେଉଁ ସିବିରରେ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଥିଲା ତାକୁ ଯବାନଙ୍କ ଦ୍ୱାରା ଉଡାଇ ଦିଆଯାଇଛି । ଏହାସହିତ ପୂରା ଅଞ୍ଚଳରେ ଅପରେସନ୍ ଜାରି ରହିଛି ।
ସହୀଦ ମେଜରଙ୍କ ସମ୍ବନ୍ଧ ୫୫ ରାଷ୍ଟ୍ରୀୟ ରାୟଫଲ୍ସ ସହ ରହିଛି । ଏହି ଅବସରରେ ଜଣେ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି । ଆତଙ୍କବାଦୀଙ୍କ ସୂଚନା ପାଇ ୫୫ ରାଷ୍ଟ୍ରୀୟ ରାୟଫଲ୍ସ, ସିଆରପିଏଫ୍ ତଥା ଏସଓଜିଙ୍କ ପକ୍ଷରୁ ପୁରା ଇଲାକାକୁ ଘେରାଉ କରାଯାଇ ଅପରେସନ୍ କରାଯାଉଛି । ଘେରାଉ କରାଯାଇଥିବାର ଜାଣି ଆତଙ୍କବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ବର୍ଷଣ ଆରମ୍ଭ କରିଦେଇଥିଲେ ।