ସୁବର୍ଣ୍ଣପୁର (ଏଟିଆର ବ୍ୟୁରୋ); ଏମିତିବି ଆସିପାରେ ମରଣ । କିଏ ଜାଣିଥିଲା ଏମିତି ହେବ । ଅକାଳରେ ଚାଲିଗଲା ଦୁଇ ଜୀବନ । ସେପଟେ ଆଉ ଜଣେ ମଧ୍ୟ ଜୀବନ ମରଣ ସହିତ ମେଡିକାଲରେ ସଂଘର୍ଷ କରୁଛି । ରାସ୍ତାରେ ବସକୁ ଅପେକ୍ଷା କରି ଛିଡା ହୋଇଥିବା ବେଳେ ହଠାତ ଟ୍ରକ ଆସି ମାଡି ଯିବାରୁ ଏଭଳି ଘଟିଛି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ । ଗ୍ୟାସ ବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇବା ପରେ ଟ୍ରକ ଡାଇଭରକୁ ଅଟକ ରଖି ପଚରା ଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ମୁତାବକ ଶୁକ୍ରବାର ବିନିକା ଥାନା ଚେରୁପାଲି ଗାଁର ରୁଖ ଭରାସାଗର, ତାଙ୍କ ଝିଅ, ସୌନପୁର ଗାଁର ସୁରେନ୍ଦ୍ର ବରିହାଙ୍କ ସମେତ ଅନ୍ୟ ଜଣେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ବିନିକାରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇ ପରିତ୍ୟକ୍ତ ଘରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ରୁଖ ଭରାସାଗର ଓ ସୁରେନ୍ଦ୍ର ବରିହାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରୁଖ ଭରାସାଗରଙ୍କ ଝିଅ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ମେଡିକାଲ୍ରେ ଭର୍ତ୍ତି କରିଥିଲେ।
ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଦୁଇ ଜଣଙ୍କର ଅକାଳରେ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ମଧ୍ୟ ଖେଳି ଯାଇଛି ।