ଯାଜପୁର (ଏଟିଆର ବ୍ୟୁରୋ); କୋରେଇ ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ ପାଇବା ପାଇଁ ଗଣ୍ଡା ଗଣ୍ଡା ନେତା କୁଲୁକୁଲୁ ହେଉଥିବା ଦେଖିବାକୁ ମିଳିଛି । ସବୁ ଦଳରେ ଟିକେଟ ଆଶାରେ ରହିଛନ୍ତି ବହୁ ଆଶାୟୀ ପ୍ରାର୍ଥୀ । ନିର୍ବାଚନ ଆସିନଥିଲେ ସୁଦ୍ଧା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ମାହୋଲ । ଏବେଠାରୁ ଗାଁ ଗାଁରେ ନେତାଙ୍କ ପୋଷ୍ଟରଏବଂ ଭୋଜି । ପାନ ଦୋକାନଠାରୁ ଆରମ୍ଭ କରି ପୋଖରୀ ତୋଠ ସବୁଛି ହେଉଛି ନିର୍ବାଚନୀ ଚର୍ଚ୍ଚା । କାହାକୁ ମିଳିବ କେଉଁ ଦଳରୁ ଟିକେଟ? କିଏ ଟିକେଟ ପାଇଲେ ଭଲ ହେବ । ଏଭଳି ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ନିର୍ବାଚନ ମଣ୍ଡଳୀରେ ।
ଏବେ ଏଠାରେ ବିଧାୟକ ଭାବରେ ଅଛନ୍ତିି ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସନାୟକ । ତେବେ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ଭଲ ନଥିବାରୁ ତାଙ୍କ ଟିକେଟ ଉପରେ ପ୍ରଶ୍ନ ଉଠିବା ପରେ ବିଜେଡିରୁ ଟିକେଟ ପାଇବା ପାଇଁ ମାଳ ମାଳ ନେତାଙ୍କ ଭିଡ ଲାଗିଛି । ତେବେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଣବ ପ୍ରକାଶ ଦାସଙ୍କ ଦବଦବା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ତାଙ୍କ ଇଶାରାରେ ଏଠାରେ ଟିକେଟ ଦିଆଯିବ । ସେପଟେ ଆକାଶ ଏବଂ ବବି ଦାସଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଏଣୁ ଏଥରକ ଆକାଶଙ୍କ ଟିକେଟ ଏକ ପ୍ରକାର କଟିପାରେ । ଏଣୁ ଟିକେଟ ଆଶାରେ ପ୍ରାର୍ଥୀ ମାଳ ମାଳ,ଦଳୀୟ ଟିକେଟ ପାଇବା ପାଇଁ ବିକଳ ।
ଏହି ଆସନରୁ ନିଜେ ବବି ଦାସ ନିର୍ବାଚନ ଲଢ଼ିପାରନ୍ତି ବୋଲି ମଧ୍ୟ ଏବେ ଶୁଣିବାକୁ ମିଳୁଛି । ଏହି ଆସନଟି ତାଙ୍କ ବାପାଙ୍କ ଅଧିନରେ ରହିଥିଲା । ଏଣୁ ସେ ଏଠାରେ ଲଢ଼ିବାର ସମ୍ଭାବନା ରହିଛି । ବବି ଯଦି ଏଠାରେ ନିର୍ବାଚନ ନଲଢ଼ନ୍ତି ତେବେ ତାଙ୍କ ଭିଣୋଇ ଅଭିନେତା ଅରିନ୍ଦମ ଏଠାରେ ନିର୍ବାଚନ ଲଢ଼ିପାରନ୍ତି ବୋଲି କଳ୍ପନା ଜଳ୍ପନା ହେଉଛି । ଏମାନଙ୍କୁ ବାଦ ଦେଲେ ଜିଲ୍ଲା ବିଜେଡି ସଭାପତି ନରେଶ ଚନ୍ଦ୍ର ମହାନ୍ତି ଓ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ପ୍ରତାପ ମହାନ୍ତି ଏବଂ ପୀୟୂଷ କାନ୍ତ ପାଣି ।
କଂଗ୍ରେସ ମଧ୍ୟ ଏଠାରେ ମାଳ ମାଳ ନେତାଙ୍କ ଟିକେଟ ରେସ ରହିଛି ତେବେ ଏହି ଆଶାୟୀ ପ୍ରାର୍ଥୀମାନେ ହେଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ହରି ସାହୁ, ରସାନନ୍ଦ ମହାନ୍ତି ଓ ବନ୍ଦିତା ପରିଡ଼ା ।ଏଠାରେ ବିଜେପି ଏବଂ ବିଜେଡିରେ ଟିକେଟ ରେସ ଲାଗିଥିବା ବେଳେ ବିଜେପି ପକ୍ଷରୁ ବିଶ୍ୱଜିତ ନାୟକ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ଠିକ ହୋଇଥିବା ଶୁଣିବାକୁ ମିଳୁଛି । ବିଶ୍ୱଜିତ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ବିଜେଡି ଏବଂ କଂଗ୍ରେସର ଟିକେଟ ରେସ ଭିତରେ ବିଜେପିକୁ ଫାଇଦା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।