ଭୁବନେଶ୍ୱର,(ଏଟିଆରବ୍ୟୁରୋ): ମାଡ଼, ନିର୍ଘାତ ମାଡ, ଗୋରୁଗାଈ ଭଳି ମାଡ଼ । ଯେମିତି ପାରିଲେ ବଜେଇ ଦେଇଗଲେ । କାନ ମୁଣ୍ଡ ନାକ କିଛି ଦେଖିଲେନି । ମାଡ଼ ଏମିତି ହେଲା ଯେ, କହିବାକୁ ଗଲେ ପୂରା ଚୋପା ଛାଡିଗଲା । ରାଜ୍ୟର ବେଷ୍ଟ ପୁଲିସ ବୋଲାଉଥିବା କମିଶନରେଟ ପୁଲିସକୁ ଗତ ସପ୍ତାହକ ଭିତରେ ଦୁଇଦୁଇ ଥର ଏମିତି ପିଟାଗଲାଣି । ପୂର୍ବରୁ କୁଜିନେତା ପିଟିଥିଲେ ଏବେ ପିଟିଲେ ଜନତା । ତେବେ ଲଗାତାର ପୁଲିସ ମାଡ଼ ଖାଉଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଏ କଥା ଏବେ ସ୍ପଷ୍ଟ ଯେ, ଅନ୍ୟକୁ ସୁରକ୍ଷା ଯୋଗାଉଥିବା ପୁଲିସକୁ ଏବେ ଦରକାର ସୁରକ୍ଷା ।
ଗତ ରବିବାର ସହିଦନଗର ଥାନା ପୁଲିସକୁ ଗୋଡାଇ ଗୋଡାଇ ପିଟିଥିଲେ କିଛି କୁଜିନେତା । ଏକ ଦୁର୍ଘଟଣାକୁ କେନ୍ଦ୍ରକରି ସହିଦନଗର ଥାନାରେ ଏଭଳି ତୁମୁଳକାଣ୍ଡ ଘଟିଥିଲା । ହେଲେ ଆଜିକାର ଘଟଣା ତାଠୁ ବି ବଳିଗଲା । ସିଧା କହିବାକୁ ଗଲେ ବାଜି ଲାଗିଗଲା କମିଶନରେଟ ପୁଲିସର ଭାବୂର୍ତ୍ତ । ଡ୍ରଗ୍ସ କାରବାର ଅଭିଯୋଗ ଆଣି ନୟାପଲ୍ଲୀ ସାଲିଆସାହିରେ ଲୋକେ ପୁଲିସ ଡ୍ରାଇଭରକୁ ଗୋଡାଇ ଗୋଡାଇ ପିଟିଛନ୍ତି । ହାତଯୋଡି ତ୍ରାହି ପାଇବାକୁ ଯେତେ ବି ଗୁହାରି କରିଥିଲେ ମଧ୍ୟ ଲୋକେ ଛାଡିବାକୁ ନାରାଜ । ସିଧା କାନମୁଣ୍ଡକୁ ସେକି ଦେଇଗଲେ । ପୁଲିସକୁ ମାଡ଼ ମାରିବା ଘଟଣା ଏହା ପ୍ରଥମ ନୁହେଁ । ଲକ୍ଷ୍ମୀସାଗର ଅଞ୍ଚଳରେ ଏସଆଇଙ୍କୁ ନାଳରେ ପକାଇ ନିର୍ଦ୍ଧୁମ ଛେଚିଥିଲେ ଲୋକେ । ଲେଡିଡନ୍ ଶୈଳର ଏଭଳି ଉତ୍ପାତକୁ ନେଇ ସେତେବେଳେ ତତ୍ପର ହୋଇଥିଲା ପୁଲିସ । ସଂଗେସଂଗେ ମାମଲା ରୁଜୁ କରି ରାତାରାତି ଅଭିଯୁକ୍ତଙ୍କୁ ଜେଲ ପଠାଇଥିଲା ।
ହେଲେ ସହିଦନଗର ଥାନା କେସକୁ ଦେଖିଲେ ପୁଲିସ ଯେମିତି ଶୋଇ ରହିଥିବା ମନେହୁଏ । ଅଭିଯୋଗ ହୋଇଛି ରାଜନୀତି ସମ୍ପୃକ୍ତି ନେଇ ପୁଲିସର ହାତ କେମ୍ପା ମାରିଯାଇଛି । ସାଧାରଣ ଲୋକଙ୍କୁ ତୋଡ ଦେଖାଉଥିବା ପୁଲିସ ଏଠି ରାଜନେତାଙ୍କ ଲିଙ୍କ୍ ପାଇଁ ମୁହଁ ବଙ୍କା କରି ଦେଇଛି । ପୁଲିସର ଏଭଳି ନିରବତା ହିଁ ବାକି ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ ହେବାର ପ୍ରମୁଖ କାରଣ ବୋଲି ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି । ସେପଟେ ଆଉ ଏକ ଘଟଣାକୁ ନେଇ ମଧ୍ୟ କମିଶନରେଟ ପୁଲିସକୁ ଏବେ ତାତ୍ସଲ୍ୟ କରାଯାଉଛି । ଏଇ କିଛିଦିନ ହେବ ପୁଲିସ କର୍ମଚାରୀଙ୍କ ବଦଳି ହୋଇଛି । ପୁରୁଣାଙ୍କୁ ହଟାଇ ନୂଆ ମୁହଁ ଅଣାଯାଇଛି । ଭାବମୂର୍ତ୍ତି ସଜାଡିବା ଲାଗି ପୁଲିସର ଏଭଳି ପ୍ରୟାସ କିନ୍ତୁ ଏବେ ଭାବଭୂର୍ତ୍ତିକୁ ବିଗାଡି ଦେଇଛି । ରେକର୍ଡ କହୁଛି ଚଳିତବର୍ଷ ଯେଭଳି କମିଶନରେଟ ପୁଲିସ ସ୍ତରରେ ଅଦଳବଦଳ ହୋଇଛି ତାହା କେବେ ବି ଆଗରୁ ହୋଇନଥିଲା ।
ଏଥରକ ୮୦ପ୍ରତିଶତ ନୂଆଁ ମୁହଁକୁ ସାମ୍ନାକୁ ଅଣାଯାଇଛି । ସେ ଏସଆଇ ହୁଅନ୍ତୁ ଅବା ଆଇଆଇସି । ସବୁ ନୂଆ । ଏହା ଆଉ ଏକ କାରଣ ବୋଲି ଚର୍ଚ୍ଚା ଚାଲିଛି । ତେବେ ସେ ଯାହାହେଉ ଯେଭଳି ଭାବେ ପୁଲିସକୁ ଆକ୍ରମଣ କରାଯାଉଛି ଏଥିରେ ରୋକ ଲାଗିବା ନିହାତି ଦରକାର । ବରିଷ୍ଠ ଅଧିକାରୀ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ନନେଲେ ପରିସ୍ଥିତି ଆଗକୁ ଯେ ଆହୁରି ଭୟଙ୍କର ନହେବ ତାହା କିଏ କହିବ । ସେପଟେ ଗାଦି ଲାଗି ଖୋଦ୍ ବରିଷ୍ଠ ପୁଲିସ ଅଧିକାରୀମାନେ ଅଭିଯୁକ୍ତକୁ ଧରୁନଥିବା ନେଇ ଖୋଦ ପୁଲିସ ମହଲରେ ଆଲୋଚନା ଚାଲିଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଆଶା କରିବୁ ଏହି ଘଟଣା ପରେ ବରିଷ୍ଠ ଅଧିକାରୀଙ୍କ ବୁଦ୍ଧି ଉଦୟ ହେବ । ଆଉ ଯେପରି କୌଣସି ପୁଲିସ କର୍ମଚାରୀ ଲହୁଲୁହାଣ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବେ…ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍