ଭଦ୍ରକ (ଏଟିଆର ବ୍ୟୁରୋ); ଚାନ୍ଦବାଲିରେ ବିଜେଡି ଏବଂ କଂଗ୍ରେସ ଦଳରେ ଟିକେଟ ରେସରେ ରହିଛନ୍ତି ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ । ବିଜେଡିରେ ଏଠାରେ ଗେଷ୍ଠୀ କନ୍ଦଳ ଜୋର ସୋରରେ ଆରମ୍ଭ ହୋଇ ଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଧାୟକଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଗାଡି ଭଙ୍ଗା ରୁଜା ହୋଇଥିବା ଲୋକ ଲୋଚନକୁ ଆସିଥିଲା । ତେବେ ଏଠାରେ ଟିକେଟ ରେସରେ ୨ ପ୍ରମୁଖ ଦଳରେ ରହିଛନ୍ତି ତୁଙ୍ଗ ନେତା । କିନ୍ତୁ ବିଜେଡି ନେତାଙ୍କ ମନ ପ୍ରବଳ କିନ୍ତୁ ଲୋକ ସମ୍ପର୍କ ଦୁର୍ବଳ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ୨୦୦୯ ନିର୍ବାଚନ ପରେ ଏହି ନିର୍ବାଚନ ମଣ୍ଡଳୀ ଉପରୁ ହଟିଥିବା ଜନଜାତି ସଂରକ୍ଷଣ ହଟିବା ପରେ ୨ଟି ନିର୍ବାଚନରେ ଏଠାରେ ବିଜେଡି ବାଜି ମାରି ଆସିଛି । କିନ୍ତୁ ଏଥରକ ଦଳୀୟ କନ୍ଦଳ ଦଳ ପାଇଁ ହେବ କାଳ ।
ଏଠାରେ ବିଜେଡି ପକ୍ଷରୁ ବର୍ତ୍ତମାନର ଯୁବ ବିଧାୟକ ବ୍ୟମକେଶ ରାୟ ଏବଂ ପ୍ରତାପ ଧଳ । ଏହି ଦୁଇ ଜଣକୁ ବାଦ ଦେଲେ ଆହୁରି କିଛି ନେତା ରହିଛନ୍ତି ଟିକେଟ ରେସରେ ଯେଉଁମାନେ କି ନିର୍ବାଚନ ମଣ୍ଡଳୀ ବୁଲି ପୋଷ୍ଟର ମାରି ଏବଂ ଭୋଜି ଦେଇ ଭୋଟରଙ୍କ ମନ ମୋହିବା ପାଇଁ ଲାଗି ପଡିଛନ୍ତି । ତେବେ ବିଜେଡି ଟିକେଟ ରେସରେ ଥିବା ନେତାମାନେ ହେଲେ ପୂର୍ବତନ ବିଧାୟକ ବିଜୟ ନାୟକ, ସମାଜସେବୀ ସଂଗ୍ରାମ ରାଉତ, ବିଜେଡି ନେତା ଅଜୟ ନାୟକ,ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ ଲତା ନାୟକ,ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ଯୁବନେତା ଅମିତ୍ ମଲ୍ଲିକ ପ୍ରମୁଖ ଆଶାୟୀ ଅଛନ୍ତି।
କଂଗ୍ରେସ ପକ୍ଷରୁ ମଧ୍ୟ ଏଠାରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ଲଢ଼େଇ ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ଜ୍ୟୋତିପ୍ରକାଶ ମହାନ୍ତି, ଦିଗମ୍ବର ଦାସ, ଅମୀୟ ମହାପାତ୍ର, ଅଭିଷେକ ରାଉତ, ସତ୍ୟାନନ୍ଦ ରାଉତ ପ୍ରମୁଖ ଆଶାୟୀ ଅଛନ୍ତି । ତେବେ ଏଠାରେ ଏଥର ବିଜେପି ପାଇଁ ଫାଇଦା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । କାରଣ କଂଗ୍ରେସ ଏବଂ ବିଜେଡି ଦଳୀୟ କଳି ବିଜେପିର ଫ୍ଳସ ପଏଣ୍ଟ ହେବ । କାରଣ ଏଠାରେ ବିଜେପି ପକ୍ଷରୁ ମନମୋହନ ସାମଲ ନିର୍ବାଚନ ଲଢ଼ିବେ ବୋଲି ଏକ ପ୍ରକାର ଠିକ ହୋଇଛି ।