ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଅରୁଣାଚଳ ପ୍ରଦେଶରୁ ବିଜେପିକୁ ବଡ ଝଟକା ଲାଗିଛି । ଆଗାମୀ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବୁଧବାର ଅରୁଣାଚଳ ପ୍ରଦେଶରେ ବିଜେପିର ୨ ମନ୍ତ୍ରୀ ଏବଂ ୧୨ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହିତ ଏମାନେ ସମସ୍ତେ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମାର ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ରେ ସାମିଲ ହୋଇଛନ୍ତି ।
ଏନପିପି ଦ୍ୱାରା ଆୟୋଜିତ ସ୍ୱାଗତ ସମାରୋହ ଅବସରରେ ଅରୁଣାଚଳର ଗୃହମନ୍ତ୍ରୀ କୁମାର ବାଇ କହିଛନ୍ତି କି , ଯଦି ବିଜେପି ଠିକ୍ ଦଳ ହୋଇଥାନ୍ତା ମୁଁ ତାଙ୍କ ପାଇଁ କାମ କରିଥାନ୍ତି । ବିଜେପିର କହିବାନୁଯାୟୀ ତାଙ୍କ ପ୍ରାଥମିକତାରେ ସର୍ବପ୍ରଥମେ ଦେଶ, ଦଳ ଏବଂ ଏହାପରେ ସଦସ୍ୟ, କିନ୍ତୁ ଏଠାରେ ବଂଶବାଦୀ ରାଜନୀତି ଚାଲିଛି । ଅରୁଣାଚଳ ଏକ ଧର୍ମନିରପକ୍ଷ ରାଜ୍ୟ କିନ୍ତୁ ବିଜେପି ଏକ ଧର୍ମବିରୋଧୀ ଦଳ ।
ସେପଟେ ସେ ବିଜେପିର ମନ୍ତ୍ରୀ ଏବଂ ବିଧାୟକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ଏନପିପି ର ରାଷ୍ଟ୍ରୀୟ ମହାସଚିବ ଥୋମସ ସଂଗମା । ସେ କହିଛନ୍ତି କି ବିଜେପିର ବିଚାରଧାର ସମ୍ପୂର୍ଣ୍ଣ ଭୁଲ୍ ।
ଖବରମୁତାବକ, ଲୋକସଭା ନିର୍ବାଚନ ପାଇଁ ଗୃହମନ୍ତ୍ରୀ କୁମାର ବାଇ,ପର୍ଯ୍ୟଟନ ମନ୍ତ୍ରୀ ଜାରକାର ଗାମାଲିନ୍ ଏବଂ ଅନ୍ୟ ବିଧାୟକଙ୍କୁ ଟିକେଟ ଦେବା ଲାଗି ବିଜେପି ପକ୍ଷରୁ ମନା କରି ଦିଆଯାଇଥିଲା । ଏନେଇ କୁମାର ବାଇ କହିଛନ୍ତି କି, ‘ବିଜେପି ମିଛ ପ୍ରତିଶୃତି କରି ମନରେ ପ୍ରଥମ ଭଳି ପ୍ରତିଷ୍ଠା ହରାଇ ଦେଇଛି । ଆମେ କେବଳ ନିର୍ବାଚନ ଲଢିବୁ ନାହିଁ ବରଂ ରାଜ୍ୟରେ ଏନପିପି ସରକାର ଗଢିବୁ ।’