କେନ୍ଦୁଝର (ଏଟିଆର ବ୍ୟୁରୋ); ରାସ୍ତା କଡରେ ରହିଥିବା ଏକ ଟ୍ରକ ପଛପଟେ ପିଟିଲା ବୋଲେରୋ । ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତେେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ଛକ ନିକଟରେ । ପୋଲିସ ଖବର ପାଇବା ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅପରପକ୍ଷରେ ଗୁରୁତର ଆହତ ହୋଇଥିବା ଡ୍ରାଇଭରଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଦମ୍ପତି ଦ୍ୱୟ ହେଲେ ବଳଭଦ୍ର ମହାଖୁଡ ଏବଂ ବୀଣାଦେବୀ । ତାଙ୍କ ଘର ବଲାଣି ଥାନା ବାଲାଗୋଡାରେ ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ ଗୁରୁବାର ଭୋର ସମୟରେ ଦମ୍ପତି ଦ୍ୱୟ କଟକ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ବେଳେ ପଳାଶପଙ୍ଗା ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛପଟେ ପିଟି ହୋଇଥିଲା । ଘଟଣାସ୍ଥଳରେ ଦମ୍ପତିଦ୍ୱୟଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସକାଳୁ ସକାଳୁ ଘନ କୁହୁଡି ପାଇଁ ରାସ୍ତା ଦେଖାଯାଇନଥିଲା ଯାହାଫଳରେ ଦୁର୍ଘଟଣା ଘଟିଛି ବୋଲି ଶୁଣିବାକୁ ମିଳୁଛି ।