ଜଗତସିଂହପୁର (ଏଟିଆର ବ୍ୟୁରୋ); ଗଛରେ ପିଟିହେଲା ବାଇକ । ଚାଲିଗଲା ସ୍ୱାମୀ ଏବଂ ସ୍ତ୍ରୀଙ୍କ ଜୀବନ । କିନ୍ତୁ ମୃତକଙ୍କ ଜ୍ୱାଇଁ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ସେ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଡୋଇ ନିକଟରେ । ମୃତକ ଦ୍ୱୟ ହେଲେ ଗଣେଷ ଦାସ ଏବଂ ତାଙ୍କ ପତ୍ନୀ ଲତା ଦାସ । ଆହତ ହୋଇଥିବା ସେମାନଙ୍କ ଜ୍ୱାଇଁ ହେଲେ ବାପି ରାଉତ । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଦୁର୍ଘଟଣା ଘଟିଥିବା ବାଇକକୁ ଜବତ କରିଛି ନାଉଗାଁ ପୋଲିସ ।
ମିଳିଥିବା ସୂଚନା ମୁତାବକ ବାପି ତାଙ୍କ ଶାଶୂ ଏବଂ ଶ୍ୱଶୂରଙ୍କୁ ନାଉଗାଁ ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣୁଥିଲେ । ତେବେ ତେଣ୍ଡୋଇ ନିକଟରେ ବାପି ଭାରସାମ୍ୟ ହରାଇ ବାଇକକୁ ଗଛରେ ମାଡ କରିଥିଲେ । ଗାଡିର ବେଗ ଏତେ ଜୋର ଥିଲା କି ସମସ୍ତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ସ୍ଥାନୀୟ ଲୋକ ଦୁର୍ଘଟଣା ଦେଖିବା ପରେ ଆହତ ହୋଇଥିବା ତିନିଜଣଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଗଣେଷଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ଲତା ଏବଂ ବାପିଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଲତାଙ୍କର ମୃତ୍ୟୁ ହୋଇଥିଲା । ଏବେ ବାପିଙ୍କର ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଥିବା ଶୁଣିବାକୁ ମିଳୁଛି ।