ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜମୁଛି ପ୍ରଚାର,କମ୍ପୁଛି ମୈଦାନ । କଟକ ସଂସଦୀୟ କ୍ଷେତ୍ରରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରସୋରରେ ଚଳାଇଛନ୍ତି ପ୍ରଚାର ଅଭିଯାନ । ବିଜୟ ଆଶାରେ ନିଜର କଳ ଏବଂ ବଳ ଲଗାଇ ଦେଇଛନ୍ତି ନେତା । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳ ହେବିୱେଟଙ୍କୁ ମଇଦାନକୁ ପଠାଇଛନ୍ତି । ଏଠାରେ ବିଜେଡି ପକ୍ଷରୁ ବାରମ୍ବାର କଟକ ଆସନରେ ଜିତି ଆସୁଥିବା ଭର୍ତ୍ତୁହରି ମହତାବଙ୍କୁ ଟିକେଟ ଦେଇଛି । ତେବେ ଚଳିତ ନିର୍ବାଚନରେ ବିଜେଡିକୁ କଡାଟକ୍କର ଦେବା ପାଇଁ କଂଗ୍ରେସ ଅଭିଜ୍ଞ ପଞ୍ଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ସେ ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ତିନି ନେତା ହେବିୱେଟ ହୋଇଥିବାରୁ ଏଠାରେ ଲଢ଼େଇ ଜବରଦସ୍ତ ହେବ ବୋଲି ଅନୁମାନ କରାଯାଉଛି । ସମସ୍ତେ ଭୋଟରଙ୍କ ମନମୋହିବା ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ପ୍ରକାଶ ମିଶ୍ର ଦୁଇଦିନ ପୂର୍ବେ ଭୋଟରଙ୍କ ମନମୋହିବା ପାଇଁ ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ପ୍ରଚାର କରିଥିବାର ଦୃଶ୍ୟ ନଜରକୁ ଆସିଥିଲା । ଅପରପକ୍ଷରେ ବିଜେଡିର ବର୍ଷିୟାନ ନେତା ଭର୍ତ୍ତୁହରି ମହତାବ ପୁରୁଣା ସଂଗଠନକୁ ଧରି ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଛନ୍ତିି । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ମଧ୍ୟ ନିଜର ଅଭିଜ୍ଞତାକୁ ଲଗାଇ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ନୂଆ ଯୋଜନା କରି ଭୋଟରଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅବହେଳାକୁ ଲୋକଙ୍କ ଆଗରେ ବଖାଣି ଭୋଟ ହାତେଇବା ପାଇର୍ ପଞ୍ଚାନନ ଚେଷ୍ଟା ଜାରି କରିଛନ୍ତି । ଏଣୁ ଚଳିତ ନିର୍ବାଚନରେ ଏଠାରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।