ବାଲେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ଉପରେ ରହିଛି ସମସ୍ତଙ୍କ ନଜର । ଶେଷ ପର୍ଯ୍ୟାୟରେ ହେବାକୁ ଥିବା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋର ଧରିଛି । ଏଠାରେ ଦୁଇ ଅଭିଜ୍ଞ ନେତାଙ୍କୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ନବଜୋତି ପଟ୍ଟନାୟକ । ନବଜ୍ୟୋତି କଂଗ୍ରେସ କର୍ମୀ ଏବଂ ନେତାମାନେ ସାଇକେଲରେ ରାଲି କରୁଥିବା ଦେଖିବାକୁ ମିଳୁଛି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୪ଦିନ ବାକିଥିବାରୁ ବିରୋଧୀଠାରୁ ନିଜର ଦବଦବା ଏବଂ ଲୋକ ପ୍ରିୟ ହେବା ପାଇଁ ନୂଆ ଉପାୟ ଆପଣାଇଛନ୍ତି ନବଜ୍ୟୋତି ।
ଚଳିତବର୍ଷ ବାଳେଶ୍ୱରରେ ବିଜେଡି ସାଂସଦ ରବିନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୁରୁଖା ନେତା ପ୍ରତାପ ଷଢ଼ଙ୍ଗୀଙ୍କୁ ଟିକେଟ ଦେଇଛି । ତେବେ ଏହି ଦୁଇ ବରିଷ୍ଟ ନେତାଙ୍କୁ କଡା ଟକ୍କର ଦେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ର ନବଜ୍ୟୋତିଙ୍କ ଉପରେ ଭରଷା କରି ପ୍ରାର୍ଥୀ କରିଛି କଂଗ୍ରେସ । ଗତବର୍ଷ ନିର୍ବାଚନରେ ଏଠାରେ ରବିନ୍ଦ୍ର ଜେନା ବାଜି ମାରିଥିବା ବେଳେ ପ୍ରତାପ ଦ୍ୱିତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏଠାରେ ତୃତୀୟ ସ୍ଥାନରେ ରହିଥିଲେ । ଏବେ ସେ ଦଳରୁ ତଡା ଖାଇବା ପରେ ନିର୍ବାଚନରୁ ଦୂରେଇ ରହିଛନ୍ତି ।
ଚଳିତବର୍ଷ ବାଲେଶ୍ୱରରେ ହେବିୱେଟଙ୍କ ମଧ୍ୟରେ ଟକ୍କର ହେଉଥିବାରୁ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । ନବଜ୍ୟୋତି ଯଦିଓ ଦୁଇ ବିରୋଧୀ ପ୍ରତିପକ୍ଷଙ୍କ ଆଗରେ ନୂଆ ପ୍ରାର୍ଥୀ ତଥାପି ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅବହେଳାକୁ ମୁଖ୍ୟ ମୁଦ୍ଦା କରି ଲୋକଙ୍କ ପାଖରେ ପହଁଞ୍ଚୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆସନ୍ତାକାଲି କଂଗ୍ରେସ ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି । ଯାହାକି ନବଜ୍ୟୋତିଙ୍କ ପାଇଁ ପ୍ଳସ ପଏଣ୍ଟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।