ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଡହ ଡହ ଖରାରେ ଫୁଟୁଛି ଓଡିଶା । ପଦାକୁ ଗୋଡ କାଡିଲେ ଜୀବନ ଛାଡି ଯାଉଛି । ଦିନ ୧୦ ଟା ବାଜିଲେ ପାରଦ ବଢୁଛି । ଘରେ ପଶି ହେଉନିକି ବାହାରକୁ ବାହାରି ହେଉନି । ଖରା ସାଙ୍ଗକୁ ଗୁଳୁଗୁଳି ଆହୁରି ଅଥୟ କରି ପକାଉଛି । ଅସ୍ତବ୍ୟସ୍ତ କରି ପକାଉଛି ତାତି । ପଶ୍ଚିମ ଓଡିଶା କଥା ନକହିଲେ ଭଲ । ସବୁଠି ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ସେପଟେ ପାଣିପାଗ ବିଭାଗ ସୂଚନା ଦେଲାଣି ଆଗାମୀ ୩ ଦିନ ଯାଏ ଖରା ବଢିବ ।
ଯାହା ଆହୁରି ଚିନ୍ତା ବଢାଇ ଦେଉଛି । ତେବେ ଆଗାମୀ ତିନିଦିନ ପରେ ପାଗ ଟିକେ ବଦଳି ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖି ହୋଇପାରେ । ସେପଟେ ସାଧାରଣ ଲୋକ କହୁଛନ୍ତି ଏତେ ଖରାରେ ଯଦି ଅଳ୍ପ ବର୍ଷା ହୋଇ ଛାଡିଯାଏ ତାହେଲେ ଗରମ ଦୁଇଗୁଣା ହୋଇଯିବ । ଅନ୍ୟପଟେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇ ପାରେ । ବତ୍ୟାର ପ୍ରଭାବ ଓଡିଶାରେ ନ ପଡିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।