ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ବାଙ୍ଗାଲୋରର ପ୍ଳେଅଫ ଆଶା ଧୂଳିସାତ ହୋଇଯାଇଛି । ଗତକାଲି ଦିଲ୍ଲୀ ବିପକ୍ଷରେ ହାରିବା ପରେ କୋହଲି ବାହିନୀର ଆଗକୁ ବଢ଼ିବା ଆଶା ମଉଳିଯାଇଛି । ତେବେ ଦ୍ୱିତୀୟ ମ୍ୟାଚରେ କୋଲକାତାର ବିଶାଳ ସ୍କୋର ଆଗରେ ହାର ମାନିଛି ମୁମ୍ବାଇ । ବାଙ୍ଗାଲୋର ଏବଂ କୋଲକାତା ପାଇଁ ଗତକାଲି ମ୍ୟାଚ କର ବା ମର ଥିଲା । ଗତକାଲି ପରୀକ୍ଷାରେ କୋଲକାତା ପାସ୍ କରିଥିବା ବେଳେ ଫେଲ ହୋଇଯାଇଛି ବାଙ୍ଗାଲୋର ।
ଦିଲ୍ଲୀ ବାଙ୍ଗାଲୋରକୁ ହରାଇବା ପରେ ପ୍ଳେଅଫରେ ସ୍ଥାନ ପକ୍କା କରିନେଇଛି । ତେବେ ସବୁଠାରୁ ବଡ କଥା ହେଉଛି ଦଳ ପଏଣ୍ଟ ଟେବୁଲର ଟପକୁ ମଧ୍ୟ ଉଠିଯାଇଛି । ବାଙ୍ଗାଲୋର ସେହି ଶେଷ ସ୍ଥାନରେ ପଡିରହିଛି । କୋଲକାତା ଗତକାଲି ମ୍ୟାଚ ଜିତିବା ପରେ ପଞ୍ଚମ ସ୍ଥାନକୁ ଉନ୍ନିତ ହୋଇଛି । ଆଗାମି ୨ଟି ମ୍ୟାଚ ଯଦି କୋଲକାତା ବିଜୟ ହୁଏ ଏବଂ ଅନ୍ୟ ଦଳ ପରାସ୍ତ ହୁଅନ୍ତି ତେବେ କୋଲକାତା ପ୍ଳେଅଫ ଆଶା ପୂରହ ହୋଇପାରେ ।
୪୭ତମ ମ୍ୟାଚରେ ରବିବାର ମୁମ୍ବାଇ ଇଣ୍ଡିଆନସ୍କୁ ୩୬ ରନ୍ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ଦ୍ୱିତୀୟ ପାଳିରେ ୨୩୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୯୮ ରନ୍ କରିଛି । ଆର୍ସିବି ପାଇଁ କର ବା ମର ଥିବା ରବିବାର ମୁକାବିଲାରେ ଦିଲ୍ଲୀ ୧୮୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଆର୍ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭୧/୭ରେ ଅଟକି ଯାଇଥିଲା। ଫଳରେ ଦ୍ବାଦଶ ମ୍ୟାଚ୍ରୁ ଅଷ୍ଟମ ପରାଜୟ ବରଣ କରି ଶେଷ ସ୍ଥାନରେ ଝୁଲିଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୫୦ ରନ୍, ୩୭ ବଲ୍, ୫ ଚୌକା, ୨ ଛକା) ଓ ଅଧିନାୟକ ଶ୍ରେୟସ୍ ଆୟର (୫୨ ରନ୍, ୩୭ ବଲ୍, ୨ ଚୌକା, ୩ ଛକା)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା।