ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଆଜି ଓଡିଶାରେ ପହଁଞ୍ଚିବ ଓଡିଆ ସହିଦ ଅଜିତ ସାହୁଙ୍କ ପାର୍ଥୀବ ଶରୀର । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ । ଏଠାରୁ ତାଙ୍କ ମର ଶରୀରରକୁ ଜନ୍ମମାଟିକୁ ନିଆଯିବ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡସୁଆଳରେ ସହୀଦଙ୍କ ଶେଷ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର କରାଯିବ । ସହୀଦଙ୍କ ଶେଷ ଦର୍ଶନ କରିବା ପାଇଁ ଚାହିଁ ବସିଛନ୍ତି ଅନେକ ଲୋକ । ଗାଁରେ ଏବେ ଶୋକର ଛାୟା ଖେଳି ଯାଇଛି । ମଙ୍ଗଳବାର ସକାଳେ ସହୀଦ ହୋଇଥିବା ଖବର ପାଇବା ପରେ ବନ୍ଧୁ ବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଆଖି ଲୁହରେ ଜକେଇ ଯାଇଛି ।
ସୂଚନାଯୋଗ୍ୟ,ସୋମବାର ଜମ୍ମୁ-କାଶ୍ମୀର ପୁଲୱାମାର ଅରିହଲ ଅଞ୍ଚଳରେ ଆତଙ୍କବାଦୀମାନେ ସେନାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ ହୋଇଥିଲେ। ଏହି ଗାଡିରେ ଅନ୍ୟମାନଙ୍କ ସହ ଯାଉଥିବା ଅଜିତ୍ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଜିତ ସହିଦ ହୋଇଥିଲେ । ମଙ୍ଗଳବାର ସକାଳେ ଅଜିତଙ୍କ ବାପାଙ୍କ ପାଖକୁ ସେନା କ୍ୟାମ୍ପରୁ କଲ ଆସିଥିଲା ।
ବଡସୁଆଳ ଗାଁର ସନ୍ତୋଷ ସାହୁଙ୍କ ସାନ ପୁଅ ହେଉଛନ୍ତି ସହିଦ ଅଜିତ ସାହୁ । ସେ ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ ସହିଦ ଅଜିତ ସାହୁ । ଦୁଇ ବର୍ଷ କଲିକତାରେ ରହିବା ପରେ ଜମ୍ମୁ କାଶ୍ମୀରକୁ ତାଙ୍କର ବଦଳି ହୋଇଥିଲା ।