ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯିଏ ଯେଉଁଠି ପାରିଲେ ସଫା କରି ପକାଇଲେ । ଘରଦ୍ୱାର, ଦାଣ୍ଡପିଣ୍ଢା ଏରିକି ଲାର୍ଟିନ ପର୍ଯ୍ୟନ୍ତ ବାଦ ଦେଲେନି । ହାତରେ ଝାଡୁ ଧରି ସଫା କରି ଚାଳିଲେ । ଅକ୍ଟୋବର ୨ରେ ଏମିତି କିଛି ଦୃଶ୍ୟ ପ୍ରାୟ ସବୁଆଡେ ଦେଖିବାକୁ ମିଳିଲା । ଯାହା ଅତ୍ୟନ୍ତ ଭଲ କଥା । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏସବୁ ଥିଲା ଲୋକ ଦେଖାଣିଆ । କ୍ୟାମେରାରେ ମୁହଁ ଦେଖାଇ ବାହାବା ମାରିବାର ଏହା ଏକ ସହଜ ଉପାୟ । ଏ କଥା ଆମେ କହୁନାହୁଁ ବରଂ ଲୋକ ଟୁପୁରୁଟାପୁର ହେଉଛନ୍ତି । ସ୍ୱଚ୍ଛଭାରତ ନାଁରେ ପ୍ରଧାନମନ୍ତ୍ରୀ ଏମିତି ଏକ ଝାଡୁ ଧରିଲେ ଯେ ତାହା ଗଳିକନ୍ଦି ପର୍ଯ୍ୟନ୍ତ ବ୍ୟାପିଗଲା ।
ନେତା ହୁଅନ୍ତୁ ଅବା ମନ୍ତ୍ରୀ କି’ ପୁଲିସ କର୍ମଚାରୀ ସବୁ ଝାଡୁରେ ମାତିଲେ । ହେଲେ ରାତ ଗୟୀ ବାତ….ଭଳି ଏବେ ଅବସ୍ଥା । ସବୁଠି କୁଢ଼କୁଢ଼ ଅଳିଆ । ଢ଼େଙ୍କାନାଳର କୁଞ୍ଜକାନ୍ତ ସ୍ଥିତ ୱାର୍ଡ ନମ୍ବର-୨ରୁ ଏଭଳି ଅଭିଯୋଗ ଉଠିଛି । ତେବେ କେବଳ ସେଠି ନୁହେଁ ପ୍ରାୟ ସବୁ ସ୍ଥାନରେ ଏବେ ଝାଡୁ ହଜିଯାଇଛି । ଆଖି ଯେଉଁଠି ପଡିବ ସେଠି ଖାଲି ଅଳିଆ ।
ଅକ୍ଟୋବର ୨ତାରିଖ । ମହାତ୍ମାଗାନ୍ଧୀଙ୍କ ଜନ୍ମବାର୍ଷିକୀକୁ ଆଖି ଆଗରେ ରଖି ୨୦୧୪ରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛଭାରତର ଅଭିଯାନ ଆରମ୍ଭ କରିଥିଲେ । ବାସ ଏହାପରେ ଲାଗିଲା ସବୁଠି ବ୍ୟାନର ଆଉ ନେତାଙ୍କ ଝାଡୁଧରା ପୋଜ ଫଟୋ ତ’ ପୂରା ଭାଇରାଲ ହୋଇଗଲା ।
କେଇଦିନ ଭିତରେ ସବୁ କିଛି ଚକାଚକ ହୋଇଗଲା । ହେଲେ ଟିକିଏ କ୍ୟାମେରା ବୁଲିବା ପରେ ସବୁ କିଛି ଅନ୍ଧାର । ଢ଼େଙ୍କାନାଳର ଡ୍ରେନ କଥା ତ ନକହିବା ଭଲ । ଢ଼େଙ୍କାନାଳର ମୁଖ୍ୟ ରାସ୍ତାରେ ପଡିଥିବା ଅଳିଆ ଓ ଡ୍ରେନ ଅବସ୍ଥା ଯଦି ଏମିତି ତେବେ ଭିତର ଅବସ୍ଥା କ’ଣ ଥିବ ତାହା ସହଜେ ଅନୁମୟେ । ସେପଟେ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ କେବଳ ଗଣମାଧ୍ୟମର ଫଟୋ ଏବଂ ଭିଡ଼ିଓରେ ସୀମିତ ହୋଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଲାଗି ଲୋକେ ଦାବି କରିଛନ୍ତି ।