କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଅଗଷ୍ଟ ୧ରୁ ଖୋଲୁଛି ଭିତରକନିକା । ଦୀର୍ଘ ୩ମାସ ବନ୍ଦ ହେବା ପରେ ପୁଣିଥରେ ଖୋଲୁଛି ଏହି ପର୍ଯ୍ୟଟନ ସ୍ଥଳୀ । ବିଦେଶ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ପର୍ଯ୍ୟଟକ ପୁଣି ଧାଇ ଆସିବେ ଭିତର କନିକାକୁ । ମେ ୧ରୁ ବନ୍ଦ ରହିଥିଲା ଭିତରକନିକା । ତେବେ ଏହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେଣୁ ଅଗଷ୍ଟ ପହିଲାରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି ।
କୁମ୍ଭୀର ଅଭୟ୍ୟାରଣ୍ୟ ପାଇଁ ଭିତରକନିକା ବେଶ ପରିଚିତ । ଯେଉଁ କାରଣରୁ ଏଠାକୁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସି ମଜା ନେଇଥାନ୍ତି । ଭିତରକନିକାର ପ୍ରାକୃତିକ ପରିବେଶ ଏବଂ ପକ୍ଷୀଙ୍କ ରବ ମଧ୍ୟ ସମସ୍ତଙ୍କ ମନ ଜିଣି ନେଇଥାଏ । ଶୀତ ଦିନ ହୋଇଗଲେ ଏଠାକୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲମ୍ବିଥାଏ । ବଣଭୋଜି କରିବା ପାଇଁ ମଧ୍ୟ ବହୁ ଲୋକ ଏଠାକୁ ଆସିଥାନ୍ତି ।
ବଉଳା କୁମ୍ଭୀରମାନେ ପ୍ରଜନନ ସମୟରେ ଅଧିକ ହିଂସ୍ର ହୋଇଥା’ନ୍ତି। ଏହି ସମୟରେ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଭିତରକନିକାକୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଚଳିତ କୁମ୍ଭୀର ପ୍ରଜନନ ଋତୁରେ କେବଳ କନିକା ରେଂଜ୍ରେ ୯୨ଟି ବସା କରି ଅଣ୍ତା ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ବସା ଜୁଆରରେ ନଷ୍ଟ ହୋଇଯିବାରୁ ସେଥିରୁ ୩୨ଟି ଅଣ୍ତା ସଂଗ୍ରହ କରାଯାଇ ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖାଯାଇଛି।
ଏହାବାଦ୍ ଚଳିତବର୍ଷ ବିରଳ ଧଳା କୁମ୍ଭୀର ଗୋରୀ ୨୮ଟି ବା’(ଛୁଆ ଫୁଟୁ ନ ଥିବା) ଅଣ୍ତା ଦେଇଥିଲା। ଦୀର୍ଘ ୩ ମାସ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେ ବୋଲି ବନବିଭାଗ ଓ ସ୍ଥାନୀୟ ଅଧିବାସୀ ଆଶା ରଖିଛନ୍ତି। ଏବେ ଭିତରକନିକା ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଏବେ ସୁଦ୍ଧା ୬୦ହଜାରରୁ ଉର୍ଦ୍ଧ୍ବ ପକ୍ଷୀ ଭିଡ଼ ଜମାଇଛନ୍ତି। ବର୍ଷା ନ ଥିବାରୁ ପକ୍ଷୀଙ୍କ ସଂଖ୍ୟା କମ ଥିଲା। ବର୍ଷା ହେବା ପରେ ପକ୍ଷୀସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ନୂଆ କୁମ୍ଭୀର ଏବଂ ପକ୍ଷୀ ଦେଖିବା ଲାଗି ପର୍ଯ୍ୟଟକମାନେ ଭିଡ ଜମାଇବେ ବୋଲି ବନ ବିଭାଗ ଆଶା ରଖିଛି । ପ୍ରଥମ ଦିନରେ ଭିତରକନିକା ଯିବା ପାଇଁ ସମସ୍ତେ ଚାହିଁ ବସିଥାନ୍ତି । କାରଣ ଦୀର୍ଘ ତିନି ମାସ ମଧ୍ୟରେ ଏଠାରେ କଣ ସବୁ ହୋଇଛି ତାହା ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ହୋଇ ରହିଥାନ୍ତି । ଏଣୁ ଆଶା କରୁଥିବା ଲୋକଙ୍କଠାରୁ ଅଧିକ ଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ବର୍ଷା ଲାଗି ରହିଥିବାରୁ ପର୍ଯ୍ୟଟକମାନେ ଯିବାରେ ଅସୁବିଧା ହୋଇପାରେ ।