କଳାହାଣ୍ଡି ( ଏଟିଆର ବ୍ୟୁରୋ): ବେଦାନ୍ତ ଆଗରେ ୧୪୪ ଧାରା । ବିଚାରଧୀନ କଏଦୀଙ୍କ ମୃତ୍ୟୁ ନେଇ ଉତ୍ତେଜନା । ଗତକାଲି ରାତିରୁ ପୋଲିସ ଲାଗୁ କଲା ୧୪୪ ଧାରା । ଭବାନୀପାଟଣା ଜେଲରେ ଥିବା ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଛତ୍ରପୁର ପଟ୍ଟନାୟକ ହରିଜନ । ମୃତକଙ୍କର କାଲି ଭବାନୀ ପାଟଣା ଜେଲରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ଯାହା ଫଳରେ ତାଙ୍କୁ ବୁର୍ଲ୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ହରିଜନଙ୍କର ମୃତ୍ୟୁ ହୋଇଥିଲା ।
ପରିବାର ଲୋକେ ମେଡିକାଲ ପହଞ୍ଚିବା ପରେ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ଦସ୍ତଖତ ଦେଇ ନଥିଲେ । ଯାହା ଫଳରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୮ ତାରିଖ ଦିନ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ ଆନ୍ଦୋଳନକାରୀ ଓ ବେଦାନ୍ତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଏଥିରେ ଓଆଇଇଏସ୍ଏଫ୍ ଜବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଲୋକମାନଙ୍କ ଆକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିଲା। ଯାହା ଫଳରେ ପୋଲିସ ଏହି ମାମଲାରେ ୨୯ ଜଣଙ୍କୁ ଗିରଫ କରିଥିଲା । ଯେଉଁଥିରେ ଗିରଫ ହୋଇଥିଲେ ପଟ୍ଟନାୟକ ହରିଜନ । ଗିରଫ ହୋଇ ବିଚାରଧୀନ କଏଦୀ ଭାବେ ଭବାନୀପାଟଣା ଜେଲରେ ସଜ୍ଜା କାଟୁଥିଲେ । ତେବେ ଗତକାଲି ଚିକିତ୍ସା ସମୟରେ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବେଦାନ୍ତ କମ୍ପାନୀର ୨ କି.ମି. ପରିଧି ମଧ୍ୟରେ ୧୪୪ ଧାରା ଲାଗୁ କରାଯାଇଛି ।