କଟକ ( ଏଟିଆର ବ୍ୟୁରୋ): ରାଜ୍ୟରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସଂପର୍କ ସୁଦୃଢ କରିବା ପାଇଁ ସରକାର ଏକ ଫୋନ ଲାଇନ କାର୍ଯ୍ୟକ୍ରମ କଲେ । ଏଇ ନିକଟରେ ଡିଜି ମଧ୍ୟ ଥାନାକୁ ଯାଇଥିବା ଲୋକଙ୍କୁ ପଚାରିଲେ ଥାନାରେ କିଭଳି ସେବା ଯୋଗାଇ ଦିଆଯାଉଛି । ତଥାପି ଏସବୁର କିଛି ଫରକ ପଡୁନି ପୋଲିସ ଉପରେ । ଯାହାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କଟକ ପୁରୀଘାଟ ଥାନାରେ । ଖୋଦ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଭିଯୋଗ ଶୁଣୁନି ପୋଲିସ । ଆଉ ସାଧାରଣ ଲୋକଙ୍କ କଥା ଛାଡ ।
ଯେଉଁଥିପାଇଁ ପୋଲିସର କାର୍ଯ୍ୟଶୈଳି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏନେଇ ସେ ଟ୍ୱିଟ ମଧ୍ୟ କରିଛନ୍ତି । ତାଙ୍କ କଟକ ସ୍ଥିତ ବାସଭବନ ଆଗରେ କିଛି ଦୁର୍ବୃତ୍ତ ଗଣ୍ଡଗୋଳ କରିବା ସହ ଗାଳିଗୁଲଜ କରିଥିଲେ । ଏନେଇ ଅଭିଯୋଗ ପରେ ବି ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି ।
Respected @cpbbsrctc Sir, there has been regular & serious allegations against a particular guy #ManjeetDas who is unfortunately my neighbour. I’m standing infront Of my house & trying my best to contact concerned PS but no action yet. Please help
— Anubhav Mohanty (@AnubhavMohanty_) September 29, 2019
ସୂଚନା ଅନୁସାରେ ଗତ ରାତିରେ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ସ୍ଥିତ ବାସଭବନ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ । ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ ମାତ୍ର ସେ ଅନୁଭବଙ୍କୁ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ପୁରୀଘାଟ ପୋଲିସକୁ ଖବର ଦେଇଥିଲେ ଅନୁଭବ । ଖବର ପାଇ ପୋଲିସ ମଧ୍ୟ ଆସିଥିଲା । ହେଲେ ମଞ୍ଜିତ ଧରିବା ବଦଳରେ ଅନୁଭବଙ୍କୁ ଏଣୁତେଣୁ ଶୁଣାଇଥିଲା ପୋଲିସ । ଯାହାକୁ ନେଇ ଅନୁଭବ ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟ କରି ଏନେଇ ପୋଲିସ କମିସନରଙ୍କୁ ସୂଚନା ଦେଇଛନ୍ତି ।