ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ନିଜର ଦବଦବା ଜାହିର କରିବା ପାଇଁ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ଆଜି ରାଜ୍ୟ ରାଜନୀତି ଅଧିକ ସରଗରମ ହୋଇ ଉଠିଛି । ତିନି ପ୍ରମୂଖ ଦଳ ବିଜେପ,ବିଜେଡି ଏବଂ କଂଗ୍ରେସ ସମସ୍ତେ ନିଜର ସ୍ଥିତି ଜାହିର କରିବା ପାଇଁ ଅଲଗା ଅଲଗା ଜାଗାରେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଭୋଟରଙ୍କ ମନ ମୋହିବା ପାଇଁ କିଏ କଣ ରଖିଛି କାର୍ଯ୍ୟକ୍ରମ ନଜର ପକାନ୍ତୁ ।
ବିଜେପି- ଆଜି ବିଜେପିର କେନ୍ଦ୍ରୀୟ ନେତା ତଥା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓଡିଶା ଗସ୍ତରେ ଆସୁଛନ୍ତି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏବଂ ପାରାଦୀପରେ ୨ଟି କାର୍ଯ୍ୟକ୍ରମ ରହିଛି । ଢ଼େଙ୍କାନାଳ ଏବଂ ପାରାଦୀପରେ ବିଜେଡିର ଦବଦବା ରହିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ କରି ଭୋଟରଙ୍କ ମନ ମୋହିବା ପାଇଁ ଚେଷ୍ଠା କରିବ ବିଜେପି । ବିଭିନ୍ନ ସରକାରୀ ଯୋଜନାର ଶିଳାନ୍ୟାସ ଏବଂ ଉଦଘାଟନ କରି ଭୋଟ ହାତେଇବା ପାଇଁ ଚେଷ୍ଠା କରିବ ବିଜେପି । ଏଭଳି ସାଧାରଣରେ ଚର୍ଚ୍ଚା ହେଉଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଓଡିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ସେପଟେ ରାଜ୍ୟ ସରକାର ଏବଂ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ ।
ବିଜେଡି- ଆଜି ବିଜେଡିର ମିଶ୍ରଣ ପର୍ବ ରହିଛି । ବିଜେଡିରେ ଯୋଗ ଦେବେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂହ । ଯୋଗେଶଙ୍କ ଶହ ତାଙ୍କ ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନିକଟରେ ବିଦା ହୋଇଥିଲେ ଯୋଗେଶ । ସେପଟେ ଆଜି ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ କଂଗ୍ରେସର ସାଧାରଣ ସଭା ରହିଛି । ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହୁଲ ଗାନ୍ଧୀ ଯୋଗ ଦେବାକୁ ଥିବା ବେଳେ ସେଠାରେ ନିଜର ଦବଦବା ବଜାୟ ରଖିବା ପାଇଁ ବିଜେଡି ସ୍ଥାନୀୟ ନେତା ଯେଗେଶ ସିଂହଙ୍କ ଦଳରେ ସାମିଲ କରି ନିଜର ସ୍ଥିତି ଜାହିର କରିଛି ।
କଂଗ୍ରେସ-ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଦୀ । ଯାହାକୁ ନେଇ ଦଳୀୟ କର୍ମୀଙ୍କ ଉତ୍ସାହ ବଢ଼ି ଯାଇଛି । ପଶ୍ଚିମ ଓଡିଶାରେ ଦଳକୁ ମଜଭୁତ କରିବା ପାଇଁ ଏକ ବିଶାଳ ସମାବେଶ ଆୟୋଜନ କରିଛି କଂଗ୍ରେସ । ଏଥିରେ ୯ଟି ଜିଲ୍ଲାର କଂଗ୍ରେସ କର୍ମୀ ଯୋଗଦେବେ । ଏହି ସାଧାରଣ ସଭାପରେ ରାହୁଲ ରାଉରକେଲାରେ ଗସ୍ତରେ ଯିବେ । କଂଗ୍ରେସରେ ଥିବା ଦଳୀୟ କନ୍ଦଳକୁ ସମାଧାନ କରି ଆଗାମୀ ନିର୍ବାଚନରେ ସାଥୀ ହୋଇ ଲଢ଼ିବା ପାଇଁ ଉଦବୋଧନ ଦେଉଛନ୍ତି ରାହୁଲ ।
ଆଜି ତିନି ପ୍ରମୂଖ ଦଳମାନଙ୍କର ବିଭିନ୍ନ ଜାଗାରେ ସମାବେଶ ଏବଂ କାର୍ଯ୍ୟକ୍ରମ ରହିଛି । ଏଣୁ ସମସ୍ତଙ୍କ ନଜର ରହିଛି ଏହାରି ଉପରେ । ସମସ୍ତ ନେତା ଅନ୍ୟ ଦୁଇ ଦଳ ବିରୋଧରେ କହି ଭୋଟରଙ୍କ ମନ ଜିଣିବା ପାଇଁ ଚେଷ୍ଠା କରିବେ । ଏଣୁ କିଏ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।