ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): କୁହାଯାଏ କନ୍ୟା ହେଉଛି ଘରର ଲକ୍ଷ୍ମୀ । କନ୍ୟାଦାନ ମହାପୂଣ୍ୟ ଏହାଠୁ ବଡ ଆଉ କିଛଇ ନାହିଁ । କନ୍ୟା ସୁରକ୍ଷା ପାଇଁ ଏବେ ସାରା ଦେଶରେ ସଚେତନତା ସୃଷ୍ଟି କରାଯାଉଛି । ତଥାପି ଏହା ଆଜି କିଛି ଲୋକଙ୍କୁ ସଚେତନ କରେଇ ପାରିନି । ପ୍ରତ୍ୟକ ଦିନ କୋଉଠି ନାଁ କୋଉଠି ଶିଶୁ କନ୍ୟା ଅଲୋଡା ହେଉଥିବା ଖବର ଆସୁଛି । କୋଉଠି କେନାଲରେ ଶିଶୁ କନ୍ୟା ଭାସୁଛି ତ ଆଉ କେଉଁଠି କୁକୁର ମୁହଁରେ ନବଜାତକ ଶିଶୁ କନ୍ୟା ।
ତେବେ ପୁଣି ଏବେ ସେମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ୩,୪ ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ କେହି ଫୋପାଡ଼ି ପଳାଇଥିବା ଦେଖିବାକୁ ମିଳିଛି । ସିଙ୍ଗଡ଼ା ଜଙ୍ଗଲରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ଛୁଆଟି ଜଙ୍ଗଲରେ କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ ।
ଗ୍ରାମବାସୀ ମାନେ ଏକତ୍ରିିତ ହୋଇ ଜଙ୍ଗଲ ମଧ୍ୟକୁ ଯାଇଥିଲେ ସେଠାରେ ୩ ଚାରି ଦିନର ଏକ ନବଜାତକ କନ୍ୟା ପଡି କାନ୍ଦୁ ଥିବାର ଦେଖିଥିଲେ । ସେମାନେ ଶିଶୁଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣା ପଡିଛି । ପିଲାଟିର ଜନ୍ମପରେ କେହି ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ପିଲାଟିକୁ ଚାଇଲ୍ଡ ହେଲପ ଲାଇନ ସହାୟତାରେ କେଉଁଠି ଥଇଥାନ କରାଯିବ ବୋଲି ଜଣାପଡିଛି ।