ପୁରୀ ( ଏଟିଆର ବ୍ୟୁରୋ): ଅପରାଧୀଙ୍କୁ ସାବାଡ କରିବା ପାଇଁ ଏବେ ଓଡିଶା ପୋଲିସ ଆକ୍ସନ ମୁଡରେ । ଗତ କିଛିଦିନ ହେଲା ପ୍ରତ୍ୟକ ଦିନ କେଉଁଠି ନାଁ କେଉଁଠି ଅପରାଧୀଙ୍କୁ ଏନକାଉଣ୍ଟର କରାଯାଉଛି । ତେବେ ଗତକାଲି ବିଳମ୍ବିତ ରାତିରେ ପୁରୀ ପିପିଲି – ନିମାପଡା ତାରକାଜ ଛକ ନିକଟରେ ଦୁର୍ଦାନ୍ତ ଅପରାଧୀ ଭାଗୀରଥି ପ୍ରଧାନ ଓରଫ ଭାଗୁକୁ ପୋଲିସ ଏନକାଉଣ୍ଟର କରିଛି । ପିପିଲି ଭାରପ୍ରାପ୍ତ ଅଧିକାରୀ, ତାଳ ବଣିଆ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀଙ୍କ ମିଳିତ ସହଯୋଗରେ ଏହି ଏନକାଉଣ୍ଟର ହୋଇଛି ।
ସୂଚନା ଅନୁସାରେ ଦୁର୍ଦାନ୍ତ ଅପରାଧୀ ଭାଗୁ ଗତକାଲି ନିମାପଡା ପଟୁ ଆସୁଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ତେବେ ଏହି ସୁଯୋଗକୁ ହତଛଡା କରି ନଥିଲା ପୋଲିସ । ତାଳବଣିଆ ଫାଣ୍ଡି ଅଧିକାରୀ, ପିପିଲି ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ପିପିଲି -ନିମାପଡ଼ା ଓଭରବ୍ରିଜକୁ ପ୍ରଥମେ ନାକାବନ୍ଦୀ କରିଦେଇଥିଲେ। ଭାଗୁ ବ୍ରିଜ୍ ଉପରକୁ ଆସିବା ପରେ ପୁଲିସ୍ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଭାଗୁ ପୁଲିସ୍ ଉପରକୁ ଗୁଳି ଚଳାଇବାରୁ ପୁଲିସ୍ ପାଲଟା ଗୁଳି ଚାଳନା କରିଥିଲା। ଗୁଳି ଭାଗୁର ବାମ ଗୋଡରେ ବାଜିଥିଲା ।
ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଭାଗୁଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ , ଗୁଳି ଓ ବାଇକ୍ ଜବତ କରିଛି । ପୋଲିସର ସୂଚନା ଅନୁସାରେ ଭାଗୁ ନାମରେ ବିଭିନ୍ନ ଥାନାରେ ବହୁ ସଂଙ୍ଗୀନ ମାମଲା ରହିଛି । ଗତ କିଛି ବର୍ଷ ହେଲା ପୋଲିସକୁ ଚକମା ଦେଖାଇ ସେ ଅପରାଧର ଜାଲ ବିଛାଇ ଚାଲିଥିଲା ।