ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ଚାଲିଥିବା ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୩ଜଣିଆ ଖଣ୍ଡପୀଠ ସୋମବାର ମଧ୍ୟବର୍ତ୍ତୀକାଳିନ ରାୟ ପ୍ରଦାନ କରିଛନ୍ତି । ଏହି ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି ।
ସୁପ୍ରିମକୋର୍ଟ ନିଜ ରାୟରେ ଦୈନଦିନ ନୀତି ନିର୍ଦ୍ଧାରଣରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ମାନିବାକୁ କହିଛନ୍ତି । ଏହା ସହିତ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ସ୍ୱାଗତ କରାଯାଇଛି । ଗୋବର୍ଦ୍ଧନ ପୀଠ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ଭୂମିକାକୁ ସମସ୍ତେ ଅମାନ୍ୟ କରୁଥିଲେ । କିନ୍ତୁ ଏବେ ଆଶା କରାଯାଉଛି କି, ସୁପ୍ରିମକୋର୍ଟଙ୍କର ଏହି ରାୟ ପରେ ଶ୍ରୀମନ୍ଦିର ପ୍ରଶାସନ ଏଣିକି ଶଙ୍କରାଚାର୍ଯ୍ୟଙ୍କୁ ଗୁରୁତ୍ୱ ଦେବେ । ତେଣୁ ଶ୍ରୀମନ୍ଦିର ପରିଚାଳନାରେ ଶଙ୍କରାଚାର୍ଯ୍ୟଙ୍କୁ ମାର୍ଗଦର୍ଶକ ଭାବେ ଗ୍ରହଣ କରାଯିବ ବୋଲି ଆଶା କରୁଛୁ । ଏହା ଏକ ଐତିହାସିକ ରାୟ ବୋଲି ଗୋବର୍ଦ୍ଧନ ପୀଠ ପକ୍ଷରୁ କୁହାଯାଇଛି ।
ସେହିପରି ସୋମବାର ଦିନ ଦେଇଥିବା ଅନ୍ତରୀଣ ରାୟରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସ୍ଥାୟୀ ଅର୍ଥାତ ପୂର୍ଣ୍ଣକାଳୀନ ପ୍ରଶାସନ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତିତ ଶ୍ରୀମନ୍ଦିର ପ୍ରଶାସନ ୬୦ହଜାର ଭକ୍ତଙ୍କ ଆଶ୍ରୟସ୍ଥଳି ନିର୍ମାଣ କରିବାକୁ କୁହାଯାଇଛି । ସେହିପରି ସହରର ନାଳନର୍ଦ୍ଦମା ପାଣିର ବିଶୋଧନ ଲାଗି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।