ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ଲୋକସଭାରେ କେନ୍ଦ୍ର ସରକାର ପାରିତ କରିଛନ୍ତି ବିବାଦୀୟ ନାଗରିକତା ସଂଶୋଧନ ବିଲ୍ (ସିଏବି) । ବାଂଲାଦେଶ, ଆଫଗାନିସ୍ଥାନ, ପାକିସ୍ତାନରେ ରହୁଥିବା ଅଣମୁସଲିମ ଶରଣାର୍ଥଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ୍ ଆଗତ କରିଥିଲେ । ଏହି ବିଲ୍ ଟିର ସପକ୍ଷରେ ୩୧୧ଖଣ୍ଡ ଭୋଟ ପଡିଥିବା ବେଳେ ଏହାର ବିପକ୍ଷରେ ୮୦ଖଣ୍ଡ ଭୋଟ ଯାଇଥିଲା । ବିରେଧୀ ଦଳଗୁଡିକ ଏହାକୁ ଅସାମ୍ବିଧାନିକ ବୋଲି କହି ବିଲ୍ ଟିକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ ହେଁ କେନ୍ଦ୍ର ସରକାରଙ୍କ ପାଖରେ ଲୋକସଭାରେ ସଂଖ୍ୟା ଗିରିଷ୍ଠତା ସଦସ୍ୟତା ଥିବା ହେତୁ ଏହି ବିଲ୍ ଟିର ସପକ୍ଷରେ ଅଧିକ ଭୋଟ ଯାଇଥିଲା । ବିଲ୍ ଟି ଉପରେ ବିରୋଧୀ ପ୍ରଶ୍ନ କରିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା ଉପରେ ସ୍ପଷ୍ଟ ଉକ୍ତି ରଖିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହି ବିଲ୍ ବାବଦରେ ଅନେକ ଅପପ୍ରଚାର ଚାଲିଛି । ତେବେ ଏହି ବିଲ୍ ଧାରା ୧୪କୁ ଉଲ୍ଲଘନ କରୁନାହିଁ । ଏହି ବିଲ୍ ଆଗତ ହେବା ଫଳରେ ଏହା ସମସ୍ତଙ୍କୁ ସମାନ ଅଧିକାର ଯୋଗାଇ ଦେବ ବୋଲି ଅମିତ ଶାହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ଏହି ବିଲ୍ ଟିକୁ ଆଣିବାର ଆବଶ୍ୟକତା ପଡିନଥାନ୍ତା ଯଦି ଦେଶ ବିଭାଜନ ସମୟରେ ଧର୍ମକୁ ଆଧାର ବିଭାଜନ ହୋଇନଥାନ୍ତା । ତେବେ ଦୀର୍ଘ ୭ଘଣ୍ଟାରୁ ଅଧିକ ସମୟ ବିତର୍କ ହେବା ପରେ ଯାଇ ଏହି ବିଲଟିକୁ ମଞ୍ଜୁରୀ ମିଳିଛି । ଅନ୍ୟପଟେ ଆଜି ରାଜ୍ୟସଭାରେ ଏହିବିଲ୍ ଟି ଗୃହିତ ହୋଇପାରେ । ତେବେ ରାଜ୍ୟସଭାରେ ବିଲ୍ ଟିକୁ ପାସ କରିବା ପାଇଁ ୧୨୦ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ।