ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଥରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ । ତେବେ ଆସନ୍ତା ୨୫ ତାରିଖରେ ତମାଣ୍ଡୋରେ ଏକ ସାଧାରଣ ସଭାକରି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଦଳରୁ ବରିଷ୍ଠ ନେତାଙ୍କ ଇସ୍ତଫା ଏବଂ କିଛି ନେତାଙ୍କୁ ବହିଷ୍କାର କରାଯିବା କିଛିଦିନ ହେବ ଲାଗି ରହିଛି । ଏଣୁ ଦଳରେ ଲାଗି ରହିଥିବା କନ୍ଦଳକୁ ସମାଧାନ କରି ସମସ୍ତଙ୍କୁ ଏକାଠୀ କରି ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବା ପାଇଁ ଉଦବୋଧନ ଦେବେ ରାହୁଲ ।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଗଣ୍ଡା ଗଣ୍ଡା କେନ୍ଦ୍ରୀୟ ନେତାଙ୍କ ବାରମ୍ବାର ଓଡିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ମୋଦି ଗୋଟିଏ ମାସରେ ତିନିଥର ଓଡିଶା ଗସ୍ତରେ ଆସି କଂଗ୍ରେସ ଉପରେ ବର୍ଷିଥିଲେ । ଓଡିଶା ଭୋଟରଙ୍କୁ ମନେଇବା ପାଇଁ ମୋଦି ବାରମ୍ବାର ଓଡିଶା ଆସୁଛନ୍ତି । ଏବଂ ଅମିତ ଶାହା ମଧ୍ୟ ଓଡିଶା ଆସୁଛନ୍ତି । ଏଣୁ ଓଡିଶାରେ କଂଗ୍ରେସକୁ ଦୃଢ଼ କରିବା ପାଇଁ ପ୍ରତି ମାସରେ ଓଡିଶା ଆସିବେ ରାହୁଲ । ତେବେ କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତରେ ଓଡିଶା ରାଜନୀତିରେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।