ଇସ୍ଲାମାବାଦ,(ଏଜେନ୍ସି): ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍ଲାର ମାଷ୍ଟର୍ମାଇଣ୍ଡ୍ ହାଫିଜ୍ ସୟିଦ୍ ଜଣେ ସାମଜିକ କର୍ମୀ ବୋଲି ଲାହୋର ହାଇକୋର୍ଟ କହିଛନ୍ତି । ଏଥିସହ ହାଫିଜ ପ୍ରତି ଦରଦ ଦେଖାଇ କୋର୍ଟ ପାକିସ୍ତାନ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ହାଫିଜ୍ ଜଣେ ସାମାଜିକ କର୍ମୀ ବା ସମାଜସେବୀ ହୋଇଥିବାରୁ ତାଙ୍କୁ ଅଯଥା ହଇରାଣ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଲାହୋର ହାଇକୋର୍ଟ ନଭେମ୍ବର ମାସରେ ଗୃହବନ୍ଦୀ ଥିବା ହାଫିଜ୍ ସୟିଦକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୋଟିଏ ପଟେ ଜାତିସଂଘ ହାଫିଜ୍ ସୟିଦକୁ କୁଖ୍ୟାତ ଆତଙ୍କବାଦୀ ତାଲିକାରେ ସ୍ଥାନ ଦେଇଥିବା ବେଳେ ଅନ୍ୟପଟେ ହାଇକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପାକିସ୍ତାନର ଦୋମୁହାଁ ନୀତିର ପର୍ଦ୍ଦାଫାସ କରିଛି । ପାକିସ୍ତାନ ସରକାର ଆମେରିକା ଓ ଜାତିସଂଘର ଚାପରେ ହାଫିଜ୍ ଦ୍ୱାରା ପରିଚାଳିତ ବିଭିନ୍ନ ସଂଗଠନକୁ ବନ୍ଦ କରିବା ପ୍ରୟାସ କରୁଥିବା ବେଳେ ହାଇକୋର୍ଟ ଏହା ଉପରେ ଏକ ପ୍ରକାରର ରୋକ ଲଗାଇଛନ୍ତି ।
କୋର୍ଟ କହିଛନ୍ତି ହାଫିଜ୍ ସୟିଦ୍ ଲୋକଙ୍କ ପାଇଁ କାମ କରୁଛନ୍ତି । ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହାଫିଜକୁ ସରକାର ହଇରାଣ କରନ୍ତୁ ନାହିଁ । ତାଙ୍କୁ ତାଙ୍କ ସାମାଜିକ କଲ୍ୟାଣ ମୂଳକ କାର୍ଯ୍ୟ କରିବାକୁ ଛାଡ଼ନ୍ତୁ ବୋଲି କୋର୍ଟ କହିଛନ୍ତି । ହାଫିଜ୍ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆତଙ୍କୀ ସଂଗଠନ ଜାମାତ୍ ଉଦ୍ ଦାୱା ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।