ପିପିଲି- ପୁଣି ପିପିଲିରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ଯୁବକ ସଂପୃକ୍ତ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ବେଳେ ନାବାଳିକା ଜଣକ ଏବେ ଅନ୍ତଃସତ୍ୱା ଅଛନ୍ତି । ଏନେଇ ପିପିଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତ୍ୱରିତ ପଦକ୍ଷେପ ନେଇଛି । ଘଟଣାଟି ସମ୍ବେଦନଶୀଳ ହୋଇଥିବା ବେଳେ ପୁଲିସ ଅତି ସତର୍କତାର ସହ ଅଭିଯୁକ୍ତ ଭାଇକୁ ଗିିରଫ କରି କୋର୍ଟ ଚାଲାଣ କରିଛି ।
ପୁଲିସ ସୂଚନା ମୂତାବକ, ଅଭିଯୁକ୍ତ ପ୍ରେମିକ ସଂଜିତ ସାହୁର ଘର କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ ଅମୃତମଣୋହୀ ଗାଁରେ । ସଂଜିତର ଭାଇ ରଂଜିତ ପିପିଲି ଥାନା ଅଂଚଳର ସସ୍ମିତା (ଛଦ୍ମନାମ) ଙ୍କୁ ବିବାହ କରିଥିବା ବେଳେ ବିବାହ ପରେ କିନ୍ତୁ ସଂଜିତ ନିଜ ଭାଉଜଙ୍କ ସହ ଅବୈଧ ସଂପର୍କ ରଖିଥିଲା । ଏହାକୁ ନେଇ ପରିବାରରେ ବାରମ୍ବାର ମନୋମାଳିନ୍ୟ ହେବା ପରେ ବି ଭାଉଜକୁ ନିଜର ପତ୍ନୀ ଭାବେ ପାଖଷର ରଖିଥିଲା ଅଭିଯୁକ୍ତ ସଂଜିତ । କେବଳ ଏତିକି ନୁହେଁ ସଂଜିତ ଔରଷରୁ ସସ୍ମିତା ଗୋଟିଏ ଝିଅ ମଧ୍ୟ ଜନ୍ମ ଦେଇଛନ୍ତି ।
୨୦୧୫ରେ ଏଭଳି ପାରିବାରିକ କଳହକୁ ନେଇ ସସ୍ମିତା ନିକିରାଇ ଥାନାରେ ସ୍ୱାମୀ ରଂଜିତ, ଶ୍ୱଶୁର ବ୍ରଜ କିଶୋର ଏବଂ ଶାଶୁ ବସନ୍ତମଂଜରୀଙ୍କ ନାଁରେ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ ସେତେବେଳେ ପୁରା ପରିବାର ଗିରଫ ମଧ୍ୟ ହୋଇଥିଲେ । ତେବେ ପରିବାରରେ ଅଶାନ୍ତ ଲାଗି ରହୁଥିବାରୁ ସଂଜିତ ଓ ସସ୍ମିତା ପିପିଲି ଚାଲି ଆସି ବାପଘରେ ରହିଥିଲେ । ସେପଟେ ପିପିଲି ମହାଲିମ୍ବପଡାରେ ଥିବା ଏକ କତା ଫାକ୍ଟ୍ରିରେ ସଂଜିତ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ପିଡିତା ନାବାଳିକା ମିଲି (ଛଦ୍ମନାମ)ଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।
ଏ ସଂପର୍କରେ ଫାକ୍ଟ୍ରି ମାଲିକ ଜାଣିବା ପରେ ସଂଜିତ ବିବାହିତ ବୋଲି ନାବାଳିକାକୁ ଜଣାଇଥିଲେ । ତେବେ କଥା ଅଧିକ ପ୍ରଘଟ ହେବାକୁ ଚାହିଁ ନଥିଲା ସଂଜିତ । ଫଳରେ ନାବାଳିକା ମିଲିକୁ ବିବାହର ପ୍ରଲୋଭନ ଦେଖାଇ ପଂଜାବ ଚାଲି ଯାଇଥିଲା । ସେଠାରେ ପାଖାପାଖି ବର୍ଷେ ରହିବା ପରେ ଉଭୟ କିଛି ଦିନ ହେବ ସତ୍ୟବାଦୀ ଥାନା ବାଲିସାହି ତଳପଡା ସ୍ଥିତ ଟିକିନା ଭୋଇଙ୍କ ଘରେ ଆସି ରହୁଥିଲେ । ଇତିମଧ୍ୟରେ ନାବାଳିକାଙ୍କ ପିତା ପିପିଲି ଥାନାରେ ଦେଇଥିବା ଅଭିଯୋଗକ ଭିତି କରି ପୁଲିସ ସଂଜିତକୁ ଖୋଜୁଥିବା ବେଳେ ଗତକାଲି ଉଭୟଙ୍କୁ ଟିକିନାଙ୍କ ଘରୁ ଠାବ କରିଥିଲା ପୁଲିସ ।
ତେବେ ନାବାଳିକା ଜଣକ ଏବେ ୮ ମାସର ଅନ୍ତଃସତ୍ୱା ବୋଲି ଜଣା ପଡିଛି । ଫଳରେ ତାଙ୍କର ଉପଯୁକ୍ତ ଚିକିତ୍ସା ଓ ଶାରୀରିକ ଓ ମାନସିକ ବିଶ୍ରାମ ଦିଗରେ ପିପିଲି ଥାନା ଅଧିକାରୀ ଶରତ ସାହୁ ପ୍ରାଥମିକତା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ନାବାଳିକାଙ୍କ ଉପଯୁକ୍ତ ଯତ୍ନ ନେବାକୁ ନିବେଦନ କରିଛନ୍ତି ଥାନା ଅଧିକାରୀ । ଅପରପକ୍ଷେ ସଂଜିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସଂଜିତଙ୍କ ନାଁରେ ପତ୍ନୀ ସସ୍ମିତା ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିବା ମଧ୍ୟ ଦୁଷ୍କର୍ମ ହୋଇଥିବାରୁ ସଂଜିତ ବିରୁଦ୍ଧରେ କେସ ନଂ ୩୫୦ରେ ଦଫା ୩୬୩, ୩୬୬, ୩୭୬ (ଖ) ପୋକ୍ସୋ ଆକ୍ଟ ଭଳି ସଂଗୀନ ଦଫା ଲଗାଇଛି ପୁଲିସ ।