ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନାଁକୁ ମାତ୍ର ବାର । କିନ୍ତୁ ଭିତରେ ଅସଲ କାରବାର । ରଙ୍ଗିନ ଆଲୋକରେ ରାସଳିଲା । ଯେଉଁଥିରେ ଏବେ ପୃଷ୍ଠପ ପକାଇଛି କ୍ୟୁଏଟି । ବାରରେ ଚଢ଼ାଉ କରି ୫ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୭ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧରାପଡିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଆର୍ମି କର୍ମଚାରୀ ଥିବା ସୂଚନା ମିଳିଛି । ତାଙ୍କ ନାଁ ପ୍ରଶାନ୍ତ ପଟ୍ଟନାୟକ, ଘର ଗଞ୍ଜାମ । ଅନ୍ୟମାନେ ହେଲେ ବିଭୁତି ଭୁଷଣ ଛୋଟରାୟ, ଅମରଜିତ ରାଉଳ, ବିରେନ୍ଦ୍ର ରଞ୍ଜିତ, ସୁଧିର ପଟେଲ, ଭୋଳା ହୁସେନ ଓ ଦିଲ୍ଲୀପ ଦାସ । ।
ସେହିପରି ଠାବ ହୋଇଥିବା ସମସ୍ତ ଯୁବତୀ ରାଜ୍ୟ ବାହାରର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୁଲିସ ରିପୋର୍ଟ ଅନୁସାରେ, ବାର ଭିତରେ ଢ଼େରଦିନ ହେବ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ସୁରାକ ମିଳିଥିଲା । ଯାହା ଉପରେ ନଜର ରଖିଥିଲା କ୍ୟୁଏଟି । ବୁଧବାର ସନ୍ଧ୍ୟାରେ କ୍ୟୁଏଟି ଟିମ ସାଧାରଣ ଲୋକ ପରି ବାର ଭିତରକୁ ଯାଇଥିଲା । କେମିତି ଓ କିପରି ଡିଲ ହେବ ସେନେଇ ଟିକନିକ ସୂଚନା ପାଇବା ପରେ ଅଚାନକ ରେଡ ମାରିଥିଲା । ବାରର ଉପର ମହଲାରେ ଚାଲିଥିବା କୁଚ୍ଛିତ କାରବାର ପୁଲିସ ନଜରକୁ ଆସିଥିଲା । ଅସଂଯତ ଅବସ୍ଥାରେ ଠାବ ହୋଇଥିଲେ ଯୁବତୀ ଓ ଗ୍ରାହକ । ସମସ୍ତଙ୍କୁ ପୁଲିସ ନିଜ କବଜାକୁ ଆଣିଥିଲା । ଠାବ ହୋଇଥିବା ୫ଜଣ ଯୁବତୀଙ୍କ ଡାକ୍ତରୀ ମଇନା କରାଯାଇଥିବା ବେଳେ ୭ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି କ୍ୟାପିଟାଲ ଥାନା ଭଳି ହାଇସିକ୍ୟୁରିଟି ଇଲାକାରେ ଏଭଳି କାରବାର ଚାଲିଥିବା ବେଳେ ପୁଲିସ ଏନେଇ କାହିଁକି ସୂଚନା ପାଇନଥିଲା । ଯଦି କ୍ୟୁଏଟି ଏ ସମ୍ପର୍କରେ ଜାଣିଲା ତେବେ କାହିଁକି ଫେଲ ମାରିଲା କ୍ୟାପିଟାଲ ଥାନା ପୁଲିସ । କେବଳ ଏତିକି ନୁହେଁ କମିଶନରେଟ ପୁଲିସ ଇଲାକାରେ ଥିବା ଅଧିକାଂଶ ବାରରେ ମଧ୍ୟ ଏହି ଡିଲ ଚାଲୁଛି । ଡ୍ୟାନ୍ସବାର ବନ୍ଦ ପରେ ଏହାର ଡିଲ ହୋଟେଲ ବାହାରେ କରାଯାଉଛି । ଫାଇନାଲ ଡିଲ ପରେ ଯୁବତୀଙ୍କୁ ବିଭିନ୍ନ ହୋଟେଲକୁ ନିଆଯାଉଛି । କଟକରୋଡରେ ଏହି କାରବାର ବେଶି ଚାଲୁଥିବା ଅନୁସନ୍ଧାନରୁ ଜଣାପଡିଛି । ବିଭାଗୀୟ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ତଦନ୍ତ ଠିକଠାକ ହେଲେ ଆହୁରି ଏକ ବଡ଼ ର୍ୟାକେଟ ଠାବ ହେବ ବୋଲି ମତ ପ୍ରକାଶ ପାଇଛି ।