ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଚତୁର୍ଥ ଦିନ । ନବରାତ୍ରୀର ନଅ ଦିନ ଯାକ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରାଯାଇଥାଏ । ମା’ ଦୁର୍ଗାଙ୍କ ସହ ଜଡିତ ଅନେକ କଥା ରହିଛି । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହିକ୍ରମର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦେବୀ ଛିନ୍ନମସ୍ତିକାଙ୍କ ବିଷୟରେ …ନବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କ ଭିଡ ଜମିଥାଏ ।
ଝାରଖଣ୍ଡର ରଜରପ୍ପାରେ ବିରାଜମାନ କରିଛନ୍ତି ଦେବୀ ଛିନ୍ନମସ୍ତିକା । ଝାରଖଣ୍ଡର ରାଜଧାନୀ ରାଞ୍ଚିରୁ ପାଖାପାଖି ୮୦ କିଲୋମିଟର ଦୂର ରଜରପ୍ପାରେ ଅବସ୍ଥିତ ଛିନ୍ନମସ୍ତିକା ଦେବୀ ମନ୍ଦିର । କୁହାଯାଏ କି ଏହି ମନ୍ଦିରରେ ବିନା ମୁଣ୍ଡ ଥିବା ଦେବୀ ପୂଜା ପାଉଛନ୍ତି । ଏହାସହିତ ଏହି ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ମା’ ପୁରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଦେବୀଙ୍କ ଏହି ମନ୍ଦିରକୁ ଦୁନିଆର ଦ୍ୱିତୀୟ ବଡ ଶକ୍ତିପୀଠ ବୋଲି କୁହାଯାଇଥାଏ । ଆସାମ ସ୍ଥିତ ମା’ କାମାକ୍ଷା ଦେବୀଙ୍କ ମନ୍ଦିର ସବୁଠାରୁ ବଡ ଶକ୍ତିପୀଠ ବୋଲି କୁହାଯାଏ । ସେହିପରି ଦ୍ୱିତୀୟ ସବୁଠାରୁ ବଡ ଶକ୍ତିପୀଠ ରଜରପ୍ପା ରେ ଅବସ୍ଥିତ ମା ଛିନ୍ନମସ୍ତିକା ମନ୍ଦିର ।
ଏହି ମନ୍ଦିରରେ ଦେବୀଙ୍କ କାଳୀ ଅବତାରର ଭବ୍ୟ ପ୍ରତିମା ସ୍ଥାପନା କରାଯାଇଛି । ଦେବୀ ତାଙ୍କ ଡାହାଣ ହାତରେ ଖଣ୍ଡା, ବାମ ହାତରେ ତାଙ୍କ କଟା ମୁଣ୍ଡ ଧରିଛନ୍ତି । ସେହିପରି ଶିଳାଖଣ୍ଡରେ ମା’ଙ୍କର ତିନୋଟି ନେତ୍ର ଏବଂ ବାମ ପାଦ ଆଗକୁ ବଢାଇ ପଦ୍ମ ପୁଷ୍ପ ଉପରେ ଛିଡା ହୋଇଛନ୍ତି ମା । ଅନ୍ୟପଟେ ମା’ ଛିନ୍ନମସ୍ତିକା ତାଙ୍କ ଗଳାରେ ସର୍ପ ମାଳ ଓ ମୁଣ୍ଡମାଳ ପିନ୍ଧିବା ସହିତ ଖୋଲା କେଶ ଓ ଆଭୂଷଣରେ ସୁସଜିତ ମା ନଗ୍ନାବସ୍ଥାରେ ଦିବ୍ୟ ରୂପରେ ବିରାଜିତ ହୋଇଛନ୍ତି ।
ମା’ ଛିନ୍ନମସ୍ତିକାଙ୍କ କଟା ମୁଣ୍ଡ ପଛରେ ଏକ ପୌରାଣିକ କଥା ରହିଛି । କୁହାଯାଏ କି ଗୋଟେଥରେ ଭବାନୀ ତାଙ୍କ ଦୁଇ ସଖୀଙ୍କ ସହ ମନ୍ଦାକିନି ନଦୀକୁ ସ୍ନାନ କରିବାକୁ ଆସିଥିଲେ । ସ୍ନାନ କରିବା ପରେ ସଖୀମାନଙ୍କୁ ପ୍ରବଳ ଭୋଗ ଲାଗିଥିଲା ଯାହାଫଳରେ ଭୋକରେ ସେମାନଙ୍କ ରଙ୍ଗ କଳା ପଡିଯାଇଥିଲା । ଏହାପରେ ସେମାନେ ମାତାଙ୍କୁ ଭୋଜନ ମାଗିଥିଲେ ମାତ୍ର ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ ମାତା । କିନ୍ତୁ ପ୍ରବଳ ଭୋଗ ସହ୍ୟ କରି ପାରିନଥିଲେ ସଖୀ । ସେଥିପାଇଁ ମାତାଙ୍କୁ ବିନମ୍ର ଅନୁରୋଧ କରିବା ପରେ ମାତା ଭବାନୀ ଖଣ୍ଡାରେ ତାଙ୍କ ମୁଣ୍ଡ କାଟି ଦେଇଥିଲେ । କଟା ମୁଣ୍ଡ ଆସି ମା’ଙ୍କର ବାମ ହାତକୁ ଖସିପଡିଲା ଏବଂ ରକ୍ତର ତିନୋଟି ଧାରା ବୋହିବା ଆରମ୍ଭ ହୋଇଥିଲା । ବୋହୁଥିବା ରକ୍ତର ଦୁଇଟି ଧାରାକୁ ତାଙ୍କ ସଖୀ ଆଡକୁ କରିଦେଇଥିଲେ ମା ଏବଂ ଗୋଟେ ଧାରା ନିଜେ ପାନ କରିଥିଲେ । ସେବେଠାରୁ ମା’ଙ୍କର ଏହି ରୂପକୁ ଛିନ୍ନମସ୍ତିକା ଭାବେ ପୂଜା କରାଯାଇଥାଏ ।