ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନସିଂହାସନରୁ ଓହ୍ଲାଇ ସ୍ନାନନୀତି ପାଇଁ ସ୍ନାନବେଦୀରେ ବିଜ ହୋଇଛନ୍ତି ଚତୁର୍ଦ୍ଧାବିଗ୍ରହ । ଏହାପରେ ସ୍ନାନବେଦୀ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଶେଷ ହୋଇଥିଲା । ପୁଣି ଅନ୍ୟାନ୍ୟ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଶ୍ରୀମନ୍ଦିର ପରିସରରେ ଥିବା ସୁନାକୂଅରୁ ୧୦୮ କଳଶ ଜଳ ଆସିବା ପରେ ଏହି ଜଳରେ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । କରୋନା କଟକଣା ଭିତରେ ଯେପରି ସ୍ନାନଯାତ୍ରା ସେବା କାର୍ଯ୍ୟ ସମ୍ପନ୍ନ ହେବ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ହୋଇଥିବା ନୀତି ଅନୁଯାୟୀ ବୁଧବାର ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା । ଦଇତାପତି ସେବାୟତଙ୍କ ଦ୍ୱାରା ଧାଡି ପହଣ୍ଡିରେ ସ୍ନାନବେଦୀକୁ ଆସିଥିଲେ ଶ୍ରୀଜିଉ । ସ୍ନାନବେଦୀର ସମସ୍ତ ନୀତି ଶେଷ ପରେ ସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜିଉଙ୍କୁ ଦିନ ୧୧ଟାରେ ହାତୀବେଶରେ ସୁସଜ୍ଜିତ କରାଯିବ । ୧୨ ଟା ଭିତରେ ଶେଷ ହେବ ବେଶ । ଏହାପରେ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ । କିନ୍ତୁ କରୋନା କଟକଣା ପାଇଁ ବଡ ଦାଣ୍ଡକୁ ଆସିବେନି ଭକ୍ତ ସିଧାପ୍ରସାରଣ ଜରିଆରେ ବେଶ ଦର୍ଶନ କରିପାରିବେ ଭକ୍ତ ।