ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କଲବଲ କରାଉଛି ଡେଙ୍ଗୁ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ମୋଟ ୧୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୪୭୦ କୁ ବୃଦ୍ଧି ପାଇଛି । ଦୌନିକ ୫୦ ରୁ ଉଦ୍ଧ୍ୱ ଡେଙ୍ଗୁ ଚିହ୍ନଟ ହେଉଥିବାବେଳେ ଆଗକୁ ଏହି ସଂକ୍ରମଣ ଆହୁରି ବଢିବ ବୋଲି ବିଶେଷଞମାନେ ମତ ଦେଇଛନ୍ତି । ବିଏମସିର ତଥ୍ୟ ଅନୁସାରେ ମଶା ବୃଦ୍ଧିର ଆଶଙ୍କା ଥିବା ୫୦ ହଜାରରୁ ଉଦ୍ଧ୍ୱ ସ୍ଥାନରେ ସଫେଇ କାର୍ଯ୍ୟ କରାଯାଇଛି । ୫୩,୬୬୪ ସ୍ଥାନରୁ ଏସିଡ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ୨୦ ହଜାର ୨୬୯ଟି ଘରେ ମୋଟ ୮୬ହଜାର ୪୩୭ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।
ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମସି ସଫେଇ ଓ ସଚେତନତା କାର୍ଯ୍ୟକୁ ବ୍ୟାପକ କରିଛି । ଏପେ ଶୌଳେଶ୍ରୀବିହାର ଓ ନୀଳାଦ୍ରୀ ବିହାରକୁ ବାଦ ଦେଲେ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାକ ଡେଙ୍ଗୁ ଚିହ୍ନଟ ହେଉଛନ୍ତି । ଯାହାକି ଏବେ ବିଏମସିର ମୁଣ୍ଡ ବିନ୍ଦାର କାରଣ ପାଲଟିଛି । ପ୍ରଥମେ ରାଜଧାନୀର ଗୋଟେ ଦୁଇଟି ସ୍ଥାନରେ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ସହରର ଗଳିକନ୍ଦିରେ ଡେଙ୍ଗୁ ମଶା ଉଡି ବୁଲୁଛନ୍ତି ।
କାରଣ ଅସରାଏ ବର୍ଷା ହେଲେ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିଲେ ବି ତାହାକୁ ନିଷ୍କାସନ କରାଯାଉ ନାହିଁ । ଦୀର୍ଘ ଦିନ ଧରି ଭୂତଖାନା ଅବସ୍ଥାରେ ପଡିରହିଥିବା ପାର୍କ , ସ୍କୁଲ , କଲେଜ, ଆଦି ଏବେ ମଶାମାନଙ୍କର ଏନ୍ତୁଡିଶାଳା ହୋଇଥିବାବେଳେ ଏଥିପ୍ରତି କାହାର ହେଲେ ଦୃଷ୍ଟି ନାହିଁ । ଅବସ୍ଥା ଏଭଳି ହେଲାଣି ଲୋକମାନଙ୍କୁ ମଶାରୀ ପକାଇ ଶୋଇବା ପାଇଁ ଉପଦେଶ ଦେବା ଛଡା ବିଏମସି ପାଖରେ ଆଉ କୌଣସି ଉପାୟ ଥିବା ଭଳି ଲକ୍ଷ୍ୟ କରାଯାଉ ନାହିଁ ।