ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ଖଣ୍ଡଗିରି ଥାନାରେ ଉତ୍ତେଜନା । ଜଣେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଉପୁଜିଛି ଏଭଳି ପରିସ୍ଥିତି । ମିଳିଥିବା ରିପୋର୍ଟ ଅନୁସାରେ, ଫୁଲେଶ୍ୱର ବସ୍ତିରେ ରହୁଥିବା ଦେବରାଜ ସେଠି ନାମକ ବ୍ୟକ୍ତି କୋଳଥିଆ ଅଞ୍ଚଳରେ ଏକ ଡ୍ରାଏକ୍ଲିନର ଦୋକାନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଲୋକେ ସେଠାକୁ ସଫା କରିବାକୁ ବହୁ ଜିନିଷ ଆଣୁଥିଲେ । ତେବେ ଅତ୍ୟଧିକ ମାତ୍ରାରେ କମ୍ବଳ, ଜ୍ୟାକେଟ,ପ୍ୟାଣ୍ଟ, ସାର୍ଟ ଆଦି ପହଞ୍ଚିଯିବାରୁ ଦେବରାଜ ଯାଁଳା ନିକଟରେ ଥିବା ଆଉ ଏକ ଡ୍ରାଏ କ୍ଲିନର ବ୍ୟବସାୟୀ(ମହିଳା)ଙ୍କ ସହଯୋଗ ଲୋଡିଥିଲେ । ତେବେ ସେଠାରେ ସେ ୧୦୦ପିସ ସଫା କରିବାକୁ ଦେଇଥିବା ବେଳେ ମାତ୍ର ୮୦ଖଣ୍ଡ ଫେରସ୍ତ ପାଇଥିଲେ । ତେବେ ସଫା କରିବାକୁ ଦେଇଥିବା ଲୋକେ ବାକି ୨୦ ପିସ କୁଆଡେ ଗଲା ବୋଲି କହି ଦେବରାଜଙ୍କୁ ପ୍ରଶ୍ନ କରିଥିଲେ ।
ଦେବରାଜ ଯାଁଳା ଅଞ୍ଚଳରେ ସଫା କରିବାକୁ ଦେଇଥିବା ଡ୍ରାଏକ୍ଲିନର ଦୋକାନର ମାଲିକଙ୍କୁ ବାରମ୍ବାର ମାଗୁଥିଲେ ବି ସେ ଆଉ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ପୂର୍ବରୁ ଏନେଇ ଦେବରାଜ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ବି ଏଥିରେ କୌଣସି ହସ୍ତକ୍ଷେପ କରିନଥିଲା । ଫଳସ୍ୱରୂପ ଦେବରାଜଙ୍କୁ ସ୍ଥାନୀୟ ଲୋକେ ଚାପ ପକାଇଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ଦେବରାଜ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ପୁଲିସ ଯଦି ଠିକ ସମୟରେ ଏହା ଉପରେ ଗୁରୁତ୍ୱ ଦେଇଥାନ୍ତା ତେବେ ଦେବରାଜ ଏଭଳି ଆତ୍ମହତ୍ୟା କରି ନଥାନ୍ତେ ବୋଲି ମତ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ତାତି ଉଠିବା ସହ ପୁଲିସକୁ ଦାୟି କରି ଥାନା ଘେରାଉ କରିଥିବା ଜଣାପଡିଛି । ଏବେ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି ।