ବ୍ରହ୍ମପୁର,(ଏଟିଆର ବ୍ୟୁରୋ) : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଟୋଲଗେଟ କର୍ମଚାରୀଙ୍କଠୁ ହୋଇଥିବା ଲୁଟ ଘଟଣାର ଖୋଳତାଡ କରୁ କରୁ ପୁଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍କର ସୁରାକ ପାଇଛି । ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ଅନେକ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ନେଇ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୦ଲକ୍ଷ ୧୫ହଜାର ଟଙ୍କା ସମେତ ଗୋଟିଏ ବନ୍ଧୁକ, ୩ରାଉଣ୍ଡ ଗୁଳି, ଗୋଟିଏ ଲ୍ୟାପଟପ, ୧୩ଟି ମୋବାଇଲ,୩ଟି ବାଇକ, ୨ଟି କାର ଜବତ ହୋଇଛି ।
ପୁଲିସ ରିପୋର୍ଟ ଅନୁସାରେ, ଗତ ୨ ତାରିଖରେ କେଶପୁର ବୁରାପଲ୍ଲୀ ଟୋଲଗେଟରୁ ଆଦାୟ ହୋଇଥିବା ଟଙ୍କାକୁ ବ୍ୟାଙ୍କରେ ଜମା କରିବା ନେଇ ସାଇବାବା ପାଲେମଓ ତାଙ୍କ ସାଥୀମାନେ ଖଲ୍ଲୀକୋଟରେ ଥିବା ଏକ୍ସିସ ବ୍ୟାଙ୍କକୁ ଆସୁଥିଲେ । ତେବେ ହରିଡାମୂଳ ଛକ ନିକଟରେ ଅଚାନକ ୫ଜଣ ଦୁର୍ବୃତ୍ତ ପହଞ୍ଚି ବନ୍ଧୁକ ଦେଖାଇ ଭୟଭିତ କରିବା ସହ ଡ୍ରାଇଭରକୁ ମାଡ଼ ମାରି ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଥିଲା ଘଟଣାର ଖୋଳତାଡ । ଏଥିପାଇଁ ଗଞ୍ଜାମ ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ।
ଟିମର ଜବରଦସ୍ତ ଖୋଳତାଡ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ମିଳିଥିଲା । ବାସ ଏହାପରେ ଏମାନଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ପରେ ଏମାନଙ୍କ ନେଟୱାର୍କ ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଥିବା ଜଣାପଡିଛି । ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଗଞ୍ଜାମ ପୁଲିସ । ଖୁବ ଶୀଘ୍ର ଆଉ ଏକ ବଡ଼ ର୍ୟାକେଟର ପର୍ଦ୍ଦାଫାସ ହେବ ବୋଲି ପୁଲିସ ଆଶା ବାନ୍ଧିଛି ।