ଗଞ୍ଜାମ (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମରଣ । ପରିବାର ସହ ଖୁସିରେ ଯାଉଥିବା ବେଳେ ହେଲା ଦୁର୍ଘଟଣା । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ଜୀବନ ଯାଇଥିବା ବେଳେ ୩ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଜଗନ୍ନାଥପୁର ଛକ ନିକଟରେ । ମୃତକ ହେଲେ ସନ୍ତୋଷ ପ୍ରଧାନ ।
ସୂଚନା ଅନୁଯାୟୀ,ସୋମବାର ସନ୍ତୋଷ ଏରୋଂଡ୍ରା ଗ୍ରାମରୁ ନିଜ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ଧରି ନିଜ ଗାଁ ଅଭିମୁଖେ ଯାତ୍ରା କରୁଥିଲେ । ସ୍ତ୍ରୀ ଏବଂ ପୁଅଙ୍କ ଖୁସିରେ ଫେରୁଥିବା ବେଳେ ଜଗନ୍ନାଥପୁର ଛକ ନିକଟରେ ତାଙ୍କ ଖୁସିରେ କାହାର ନଜର ଲାଗିଯାଇଥିଲା ।ହଠାତ ଏକ ବୋଲେରୋ ଆସି ତାଙ୍କ ବାଇକ ପଛପଟେ ଧକ୍କା ଦେଇଥିଲା । ଏତେ ଜୋରରେ ମାଡ ହୋଇଥିଲା କି ସନ୍ତୋଷ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ ।
ବାଇକରୁ ଛିଟିକି ପଡିଥିବା ସନ୍ତୋଷଙ୍କ ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ ରଖିଛି । ଅପରପକ୍ଷରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।