ମୁମ୍ବାଇ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲାଙ୍କୁ ନେଇ ପଞ୍ଜାବ ମନ୍ତ୍ରୀ ଏବଂ ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁଙ୍କ ବିରୋଧରେ ସୋନି ଟିଭି ଚ୍ୟାନେଲ ଏକ ବଡ ପଦକ୍ଷପ ନେଇଛି । ଚ୍ୟାନେଲ ପକ୍ଷରୁ ସିଦ୍ଧୁଙ୍କୁ କପିଲ ଶର୍ମା ସୋ’ରୁ ବାହାର କରି ଦିଆଯାଇଛି । ସିଦ୍ଧୁଙ୍କ ସ୍ଥାନରେ ଏବେ ଅର୍ଚ୍ଚନା ସିଂ ପୁରଣଙ୍କୁ ଦେଖିବାକୁ ମିଳିବ ବୋଲି ଜାଣିବାକୁ ମିଳିଛି ।
ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ପାକିସ୍ଥାନ ଉପରେ ନିଜର ରାଗ ବାହାର କରୁଥିବା ବେଳେ ସିଦ୍ଧୁ ଏହି ମାମଲାରେ ପାକିସ୍ତାନ ଦୋଷି ନୁହେଁ ବୋଲି କହିଛନ୍ତି । ସିଦ୍ଧୁ କହିଥିଲେ କି ଏହି ଆକ୍ରମଣ ପାଇଁ ପୂରା ଦେଶକୁ ଦୋଷୀ କରିବା ଠିକ୍ ନୁହେଁ ।
ସିଦ୍ଧୁଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଯାଇଥିଲା । ଏହାସହିତ କପିଲ ଶର୍ମାଙ୍କ ସୋ’ରୁ ତାଙ୍କୁ ହଟାଇବାକୁ ଦାବି କରାଯାଇଥିଲା । ଯଦି ନବଜୋତ୍ ସିଂହ ସିଦ୍ଧୁଙ୍କୁ ସୋ’ରୁ ହଟା ନଯାଏ ତେବେ ସାଧାରଣ ଜନତା କପିଲ ଶର୍ମା ସୋ’କୁ ବାୟକଟ୍ କରିବେ ବୋଲି ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ମିଳିଥିଲା । ଏହି ମାମଲକୁ ନେଇ ଚ୍ୟାନେଲର ଅଧିକାରୀଙ୍କ ସହ ଏକ ମିଟିଙ୍ଗ ହୋଇଥିଲା । ଯେଉଁଥିରେ ସିଦ୍ଧୁଙ୍କ ବୟାନକୁ ଭୁଲ୍ ପ୍ରମାଣିତ କରାଯିବା ସହ ତାଙ୍କୁ ସୋ’ରୁ ତୁରନ୍ତ ବାହାର କରାଯାଇ ତାଙ୍କ ସ୍ଥାନରେ ଅର୍ଚ୍ଚନାଙ୍କୁ ରଖିବାର ନିଷ୍ପତ୍ତି ନିଆଯାଇଛି ।
ପାକିସ୍ତାନକୁ ସମର୍ଥନ କରିବା ଏହା ସିଦ୍ଧୁଙ୍କର ପ୍ରଥମ ବିବଦୀୟ ବୟାନ ନୁହେଁ । ଯେତେବେଳେ ଇମାରନ୍ ଖାଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ତାଙ୍କ ଶପଥ ଗ୍ରହଣ ସମାରୋହରେ ସିଦ୍ଧୁ ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଦେଶରେ କଡା ପ୍ରତିକ୍ରିୟା ଉଠିଥିଲା । ଏବେ ସିଦ୍ଧୁଙ୍କୁ ପଞ୍ଜାବ ସରାକାରଙ୍କ ମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋସିଆଲ ମିଡିଆରେ ଦାବି ଜୋର ଧରିଛି ।