ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ରେଳବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି । ଜରୁରୀ କାଳୀନ ପରିସ୍ଥିତିରେ ଇନ୍ଦୌରରୁ ବାହାରୁଥିବା ଟ୍ରେନରେ ମସାଜ ସେବା ଆରମ୍ଭ ହୋଇଛି । ଏହି ସେବା ପାଇଁ ପ୍ରତି ଯାତ୍ରୀ ପିଛା ୧୦୦ ଟଙ୍କା ରହିଛି । ମାତ୍ର ରେଲୱେର ଏହି ଯୋଜନାକୁ ସ୍ଥାନୀୟ ସାଂସଦ ଶଙ୍କର ଲାଲୱାନୀ ବିରୋଧ କରିଛନ୍ତି ।
ଏନେଇ ସେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି କି , ‘ଏହି ସେବା ଭାରତୀୟ ସଂସ୍କୃତିର ଅନୁରୂପ ନୁହେଁ ଏବଂ ଏହାକୁ ବନ୍ଦ କରାଯାଉ । ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ଚଳନ୍ତା ଟ୍ରେନରେ ବିଶେଷ କରି ମହିଳାଙ୍କ ସାମ୍ନାରେ ଏଭଳି ସେବାକୁ ଉପଲବ୍ଧ କରାଇବା କ’ଣ ଭାରତୀୟ ସଂସ୍କୃତିର ଅନୁରୂପ । ଯାତ୍ରୀଙ୍କୁ ମେଡିକାଲ ସୁବିଧା, ଡାକ୍ତରଙ୍କ ଉପଲବ୍ଧତା ଆଦି ଅନ୍ୟ ଆବଶ୍ୟକୀୟ ସେବା ସ୍ଥାନରେ ଏଭଳି ସ୍ତରହୀନ ବ୍ୟବସ୍ଥା ମୋ ମତରେ ଉଚିତ୍ ପ୍ରତୀକ ନୁହେଁ ।’
ଜୁନ୍ ୭ରେ ଯାତ୍ରୀଙ୍କ ମୁଣ୍ଡ ଏବଂ ପାଦ ମସାଜ ପାଇଁ ରତଲାମ ଡିଭିଜନ ପକ୍ଷରୁ ଏହି ସୁବିଧା ପ୍ରଦାନ କରାଯିବା ପାଇଁ ଆଦେଶ ଜାରି କରାଯାଇଥିଲା । ଏହି ନିୟମ ଅନୁଯାୟୀ ଇନ୍ଦୌର ରେଲୱେ ଷ୍ଟେସନରୁ ବାହାରୁଥିବା ୩୯ ଟି ଟ୍ରେନରେ ଯାତ୍ରୀଙ୍କ ମୁଣ୍ଡ ଏବଂ ପାଦ ମସାଜ ର ସୁବିଧା ପ୍ରଦାନ କରାଯାଉଛି । ପ୍ରତ୍ୟେକ ଟ୍ରେନ୍ ରେ ପାଖାପାଖି ୩ ରୁ ୫ ଜଣ ମାଲିସକର୍ତ୍ତା ରହିବେ ।
ଏହି ଯୋଜନାରୁ ରେଲୱେକୁ ବର୍ଷକୁ ୨୦ ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ଦାବି କରାଯାଇଛି । ଏହି ସେବା ମାଲୱା ଏକ୍ସପ୍ରେସ, ଇନ୍ଦୌର ଲିଙ୍ଗମପଲ୍ଲୀହମସଫର ଏକ୍ସପ୍ରେସ, ଅବନ୍ତିକା ଏକ୍ସପ୍ରେସ, ଇନ୍ଦୌର-ବେରାବଲ ମହାମନା ଏକ୍ସପ୍ରେସ, କ୍ଷିପ୍ରା ଏକ୍ସପ୍ରେସ,ନର୍ମଦା ଏକ୍ସପ୍ରେସ, ଅହିଲ୍ୟା ନଗରୀ ଏକ୍ସପ୍ରେସ,ପଞ୍ଚବଲୀ ଏକ୍ସପ୍ରେସ ଇନ୍ଦୌର-ପୁଣେ ଏକ୍ସପ୍ରେସ ଆଦିରେ ଉପଲବ୍ଧ ରହିଛି ।