ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ): ନିର୍ବାଚନ ପୂର୍ବରୁ ସାଧାରଣ ଜନତା ତଥା କୃଷକ ମାନଙ୍କୁ ଅନେକ ପ୍ରତିଶୃତି ଦେଇଥାନ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର । ଖାସ୍ କରି କୃଷକମାନଙ୍କ ପାଇଁ ଅମକ ଯୋଜନା କରିଦେବୁ , ସମକ ଯୋଜନା କରିଦେବୁ କହି ଢୋଲ ମଧ୍ୟ ପିଟିଥାନ୍ତି । ଲୋକେ ସରକାରଙ୍କୁ ଭରଷା କରି ଭୋଟ ଦେଇଥାନ୍ତି । ମାତ୍ର ବାସ୍ତବରେ ନିର୍ବାଚନ ଜିତି ସାରିବା ପରେ ସାମ୍ନାକୁ ଆସେ ସରକାରଙ୍କ ଅସଲ ରୂପ । ତାପରେ ସେ ଭୁଲି ଯାଆନ୍ତି କୃଷକମାନଙ୍କୁ ଦେଇଥିବା ପ୍ରତିଶୃତି । ପ୍ରତିଶୃତି ପ୍ରତିଶୃତିରେ ରୁହେ ଆଉ ସାଧାରଣ ଭୋଟର ଜଣଙ୍କ ଭୋକୁଆ ହୁଏ ।
ଦେଶରେ ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ସାହୁକାର ଏବଂ ବ୍ୟାଙ୍କରୁ ଋଣ ଆଣି ଚାଷ କରୁଛନ୍ତି । ଆଉ ସେହି ଋଣ ସୁଝି ନ ପାରିବାରୁ ଆତ୍ମହତ୍ୟା କରିବା ସହିତ ଆଉ କିଛି ଚାଷୀ ନିଜ ଶରୀରର ଅଙ୍ଗ ବିକିବାକୁ ମଧ୍ୟ ବାଧ୍ୟ ହୋଇଥାନ୍ତି । ସେହିଭଳି ଏକ ଦୁଃଖଦ ହୃଦୟ ବିଦାରକ ଘଟଣା ଏବେ ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଛି । ଏଠାରେ ଜଣେ ଚାଷୀକୁ ଋଣ ସୁଝିବା ପାଇଁ ନିଜ କିଡନୀ ବିକିବାର ବିଜ୍ଞାପନ ସୋସିଆଲ ମିଡିଆରେ ଦେବାକୁ ପଡିଛି । ଯାହାକୁ ନେଇ ପ୍ରଶାସନିକ କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଛି ।
ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ଶନିବାର ଦିନ ଏଠାକାର ରାମକୁମାର ନାମକ ଜଣେ କୃଷକ ତାଙ୍କ କିଡନୀ ବିକିବାର ବିଜ୍ଞାପନ ସୋସିଆଲ ମିଡିଆରେ ଛାଡିଥିଲେ । ଯାହା ପରବର୍ତ୍ତି ସମୟରେ ଭାଇରାଲ ହୋଇଥିଲା । ସେପଟେ କିଡନୀ କିଣିବା ପାଇଁ ଲୋକେ ତାଙ୍କୁ କୋଟି କୋଟି ଟଙ୍କା ଅଫର ମଧ୍ୟ କରିଥିବାର ଦେଖିବାକୁ ମିଳିଛି ।
ଖବରମୁତାବକ, ଡାଏରୀ ଫାର୍ମ କରିବା ପାଇଁ ସାହୁକାର ଠାରୁ ୧୦ ଲକ୍ଷ ଟଙ୍କା ଋଣ ନେଇଥିଲେ ରାମକୁମାର । ଯାହାର ସୁଧ ଏବେ ଏତେ ମାତ୍ରାରେ ବଢି ଯାଇଛିି ଯେ ଯାହାକୁ ସୁଝିବାକୁ ସେ ଅକ୍ଷମ । ସେଥିପାଇଁ ସେ ନିଜର କିଡନୀ ବିକ ଋଣ ସୁଝିବା ପାଇଁ ବାଧ୍ୟ ହୋଇଛନ୍ତି । ତେବେ ଏନେଇ କୃଷକ ଜଣକ କହିଛନ୍ତି କି ଏହାପୂର୍ବରୁ ସେ ଅନେକ ଥର ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ, ମାତ୍ର ବ୍ୟାଙ୍କ ତାଙ୍କୁ ଋଣ ଦେବା ଦୂରର କଥା ତାଙ୍କ ଆବେଦନ ବି ସ୍ୱୀକାର କଲା ନାହିଁ ।